୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା : ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଉପକୂଳ ଓଡିଶା ଓ ଆଭ୍ୟନ୍ତରୀଣ ଅଂଚଳରେ ହୋଇପାରେ ବର୍ଷା ; ଆସନ୍ତା ୫ ଦିନ ଯାଏଁ ତାପମାତ୍ରା ବଦଳିବ ନାହିଁ

4,069

କନକ ବ୍ୟୁରୋ : ରାଜ୍ୟରେ ଏବେ କାଳବୈଶାଖୀ ବର୍ଷା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ‌ହୋଇଛି । ରାଜ୍ୟର ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ହୋଇଥିଲା । ରାଜ୍ୟରେ ଏବେ ତାପମାତ୍ରା ସ୍ଥିର ରହିଛି। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । କିନ୍ତୁ ଆଜି ରାଜ୍ୟର ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭବାନା ରହିଛି । ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଆଦି ଜିଲ୍ଲାରେ କାଳବୈଶାଖୀଜନିତ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଏନେଇ କେନ୍ଦ୍ର ପକ୍ଷରୁ ଉକ୍ତ ଜିଲ୍ଲାଗୁଡ଼ିକରେ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି ‌ହୋଇଛି ।

ଅନ୍ୟପକ୍ଷେ ପାଣିପାଗ ବିଶେଷଜ୍ଞ କହିଛନ୍ତି, ଏହି ସପ୍ତାହରେ ଓଡ଼ିଶା ସମେତ ଉତ୍ତର ଭାରତରେ ତାପମାତ୍ରା ବଢ଼ିବା ପରିବର୍ତ୍ତେ କମିଛି । ପଶ୍ଚିମା ପବନ ସହ ବାୟୁ ଦିଗରେ ପରିବର୍ତ୍ତନ ସମ୍ଭାବନା ରହିଛି । ଅନୁମାନ କରାଯାଉଛି କି, ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା ୧୪ ତାରିଖ ପର୍ଯ୍ୟନ୍ତ ବଢ଼ିବ ନାହିଁ । ପଶ୍ଚିମ ଓଡ଼ିଶାରେ ସାମାନ୍ୟ ବଢ଼ିବ । ତେବେ ୧୫ ତାରିଖରୁ ରାଜ୍ୟର ଉଭୟ ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଉଭୟ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରା ବଢ଼ିବ । ଭୁବନେଶ୍ବର ତାପମାତ୍ରା ୧୬ ତାରିଖ ସୁଦ୍ଧା ୪୦ ଡିଗ୍ରି ପାଖାପାଖି ହେବାର ସମ୍ଭାବନା ରହିଛି ।

ରାଜ୍ୟରେ କାଳବୈଶାଖୀ ବର୍ଷା ପାଇଁ ପାଗ ଅନୁକୂଳ ହେବାରେ ଲାଗିଛି । ବିଶେଷ କରି ଉତ୍ତର ଓଡ଼ିଶାରେ କାଳବୈଶାଖୀର ସମ୍ଭାବନା ଅଧିକ ରହିଛି । ଆକଳନ କରାଯାଇଛି କି, ଆଜି ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ ସମେତ ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ହେବ । ଉତ୍ତର ଓଡ଼ିଶାରେ ୧୩ ତାରିଖରେ ମଧ୍ୟ କାଳବୈଶାଖୀର ସମ୍ଭାବନା ରହିଛି । ତେବେ ୧୮ ତାରିଖରୁ କାଳବୈଶାଖୀ ସମ୍ଭାବନା ବଢ଼ିବ ବୋଲି ଡ. ପଶୁପାଳକ କହିଛନ୍ତି ।