ନୟାଗଡ଼,କଟକ, ଖୋର୍ଦ୍ଧାକୁ ହିଟ ୱେଭ ୱାର୍ଣ୍ଣିଂ: ଭୀଷଣ ଝାଂଜି ବହିବା ଆଶଙ୍କାରେ ୩ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

440

କନକ ବ୍ୟୁରୋ : ଭୀଷଣ ଝାଞ୍ଜି ପ୍ରବାହ ଆଶଙ୍କାରେ ଆଜି ରାଜ୍ୟର ୩ ଜିଲ୍ଲା ପାଇଁ ୟେଲୋ-ୱାର୍ଣ୍ଣିଂ ଜାରି କରିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା । ଜିଲ୍ଲାଗୁଡ଼ିକ ହେଲା, କଟକ, ଖୋର୍ଦ୍ଧା ଓ ନୟାଗଡ଼ । ପୂର୍ବାହ୍ନ ୧୧ଟାରୁ ଅପରାହ୍‌ଣ ୩ଟା ମଧ୍ୟରେ ବିଶେଷକରି ଶିଶୁ, ବୟସ୍କ ଓ ରୋଗୀମାନଙ୍କୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ଅତ୍ୟାବଶ୍ୟକ କାମ ଥିଲେ ଖରାରୁ ରକ୍ଷା ପାଇବା ପାଇଁ ସମସ୍ତ ପ୍ରସ୍ତୁତି କରି ଘରୁ ବାହାରିବାକୁ ପରାମର୍ଶ ଦିଆଯାଇଛି ।

‌ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ଯେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଭୁବନେଶ୍ବରଠାରେ ୪୩.୨ଡିଗ୍ରି ରେକର୍ଡ ହୋଇଛି। ଏହାବ୍ୟତୀତ ରାଜ୍ୟରେ ୧୭ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା । ବାରିପଦା, ଟିଟିଲାଗଡ଼ ଓ ବୌଦ୍ଧ‌ରେ ତାପାମାତ୍ରା ୪୨ଡିଗ୍ରି ରେକର୍ଡ ହୋଇଛି । ଆଗାମୀ କିଛି ଦିନରେ ତାପମାତ୍ରା ଆହୁରି ବଢ଼ିବ । କିଛି କିଛି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୪ଡିଗ୍ରି ଅତିକ୍ରମ କରିବ ବୋଲି କହିଛି ।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାରେ ସୋମବାର ପର୍ଯ୍ୟନ୍ତ ସାମୁଦ୍ରିକ ପବନ ପ୍ରବାହର ସମ୍ଭାବନା କମ୍‌। କିନ୍ତୁ ମଙ୍ଗଳବାରଠାରୁ ଉପକୂଳ ଓଡ଼ିଶାର ତାପାମତ୍ରା ୪୦ ଡିଗ୍ରି ତଳକୁ ଖସିବ । ବୁଧବାର ଏହା ୩୮ ଡିଗ୍ରିକୁ ଖସିବ ଓ ପରବର୍ତ୍ତୀ ୪ ଦିନ ଅପରିବର୍ତ୍ତିତ ରହିବ ।

ଉପକୂଳ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ୨୯ତାରିଖରୁ ସର୍ବାଧିକ ତାପମାତ୍ରା କମିବା ବେଳେ ପଶ୍ଚିମ ଓଡ଼ିଶାରେ କେତେକ ସ୍ଥାନରେ ୪୨ ଡିଗ୍ରିରୁ ଅଧିକ ରହିବ। ୩୦ ତାରିଖରୁ ସାମାନ୍ୟ କମିଲେ ମଧ୍ୟ ପଶ୍ଚିମ ଓଡ଼ିଶାରେ ଅନେକ ସ୍ଥାନରେ ୪୦ ଡିଗ୍ରିରୁ ଅଧିକ ରହିପାରେ । ଏପ୍ରିଲ ୩୦ରୁ ରାଜ୍ୟରେ ସ୍ଥାନେସ୍ଥାନେ କାଳବୈଶାଖୀର ସମ୍ଭାବନା ରହିଛି । ମେ’ ୨ରୁ ୫ ମଧ୍ୟରେ ଏହାର ସମ୍ଭାବନା ଅଧିକ ରହିଛି । ଉପକୂଳ ଜିଲ୍ଲାରେ ମେ’ ୩ ଓ ୪ରେ କେତେକ ସ୍ଥାନରେ ମଧ୍ୟମଧରଣର ବର୍ଷା ହୋଇପାରେ ।