ବଢିବ ତାତି : ୪ ଦିନରେ ବଢ଼ିବ ୪ ଡିଗ୍ରି; ପୁଣି ୪୦ ଡେଇଁବ ଅଧିକାଂଶ ରାଜ୍ୟର ପାରଦ

147

କନକ ବ୍ୟୁରୋ : ଆସନ୍ତା ୩ ରୁ ୪ ଦିନ ମଧ୍ୟରେ ରାଜ୍ୟର ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଗତ ୨ ଦିନ ହେଲା ୪୦ ଡିଗ୍ରି ତଳକୁ ଖସିଥିବା ତାପମାତ୍ରା ପୁଣିଥରେ ୪୨ ଛୁଇଁବ । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ସମ୍ଭାବନା ନଥିବାରୁ ତାତି ବଢ଼ିବ। ୧୯ ଓ ୨୦ ତାରିଖ ଅପରାହ୍‌ଣ ଆଡ଼କୁ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ଏଥିପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି ।

କେନ୍ଦ୍ରର ସୂଚନା ମୁତାବକ, କିଛି ଦିନ ହେଲା ରାଜ୍ୟରେ କାଳବୈଶାଖୀ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଥିଲା। ଫଳରେ ରାଜ୍ୟର ପାଗ ଥଣ୍ଡା ରହିବା ସହ ପାରଦ ଖସିଥିଲା। କିନ୍ତୁ ଆସନ୍ତା ୪ ଦିନରେ ତାପମାତ୍ରା ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ରାଜ୍ୟରେ ପାଗ ଶୁଖିଲା ରହିବା ସହ ଟାଣ ଖରା ହେବ। ୧୯ ତାରିଖ ଅପରାହ୍‌ଣ ଆଡ଼କୁ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, ମୟୂରଭଞ୍ଜ ଓ ଗଜପତିରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ।

ସେହିପରି ୨୦ ତାରିଖ ଦିନ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ ଓ ବାଲେଶ୍ବରରେ ଝଡ଼ବର୍ଷାର ସମ୍ଭାବନା ରହିଛି। ଏଥିଯୋଗୁଁ ସାମୟିକ ସମୟ ପାଇଁ ପରିବେଶ ଥଣ୍ଡା ରହିଲେ ବି ତାପମାତ୍ରା ଉପରେ ଏହା ବିଶେଷ ପ୍ରଭାବ ପକାଇବ ନାହିଁ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆସନ୍ତାକାଲି ରାଜଧାନୀ ଓ ଆଖପାଖ ଅଞ୍ଚଳର ତାପମାତ୍ରା ୩୯ ଡିଗ୍ରି ପାଖାପାଖି ରହିଥିବା ବେଳେ ଆଜି ୪୦ ଡିଗ୍ରି ଅତିକ୍ରମ କରିପାରେ ବୋଲି କେନ୍ଦ୍ର ଆକଳନ କରିଛି ।