ଆଉ ଦୁଇ ଦିନ କାଳବୈଶାଖୀ ବର୍ଷା ଆଶଙ୍କା : ଆଜି ୮ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଆସନ୍ତାକାଲି ୧୧ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ଆଶଙ୍କାରେ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

299

କନକ ବ୍ୟୁରୋ : ରାଜ୍ୟରେ ପୁଣି ବଢ଼ିବାରେ ଲାଗିଛି ଗ୍ରୀଷ୍ମପ୍ରବାହ ।  ୫ଟି ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିବା ବେଳେ ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୧.୨ ଡିଗ୍ରି ରେକର୍ଡ ହୋଇଛି । ଆସନ୍ତା ୨ ଦିନ ଧରି ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ତାପମାତ୍ରା‌ରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ରାଜ୍ୟର ୮ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହୋଇପାରେ । ଏଥିସହ ପବନର ବେଗ ଅଧିକ ରହିବ ଓ କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ଏଣୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ୧୫ ତାରିଖରେ ରାଜ୍ୟର ୧୧ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, କନ୍ଧମାଳ ଓ ନୂଆପଡ଼ାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏଥିସହ ପବନର ବେଗ ମଧ୍ୟ ଘଣ୍ଟାପ୍ରତି ୩୦ରୁ ୪୦ କିମି ରହିବ। ଅନ୍ୟପଟେ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷାର ମଧ୍ୟ ସମ୍ଭାବନା ରହିଛି । ୧୫ ତାରିଖ ଦିନ କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ଝଡ଼ବର୍ଷା ହେବ । ଏଣୁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟରେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାତି ଏହିଭଳି ରହିବ । ରାଜଧାନୀର ତାତି ୪୦ ଡିଗ୍ରି ପାଖାପାଖି ରହିଥିବା ବେଳେ ବି ଏହି ତାପମାତ୍ରା ବଜାୟ ରହିବ। ଆକାଶ ଆଂଶିକ ମେଘୁଆ ରହିପାରେ।