ଆଗାମୀ ୪ ଦିନ କାଳବୈଶାଖୀ ବର୍ଷା : କେତେକ ସ୍ଥାନରେ ପାରଦ ଖସିଥିଲେ ବି ୨ରୁ ୩ଡିଗ୍ରୀ ତାପମାତ୍ରା ବଢ଼ିବା ଆଶଙ୍କା

 ଗତକାଲି ଟିଟଲାଗଡ଼ ପାରଦ ଥିଲା ସବୁଠାରୁ ଉତପ୍ତ ସହର; ଦିନର ସବୋର୍ଚ୍ଚ ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ଼

198

କନକ ବ୍ୟୁରୋ : ରାଜ୍ୟର କିଛି କିଛି ସ୍ଥାନରେ ଏବେ ତାପମାତ୍ରା ବଢ଼ିଥିବା ବେଳେ କେତେକ ସ୍ଥାନରେ ପାରଦ ସ୍ତର ଖସିଛି। ଅନେକ ସ୍ଥାନର ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରି ବଢ଼ି ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ପାର୍‌ କରିଛି । ରାଜ୍ୟର ୯ ସହର ତାପମାତ୍ରା ୪୦ ଅତିକ୍ରମ କରିଥିଲା । ଟିଟିଲାଗଡ଼ରେ ୪୨ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଏହା ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା। ଏଥିସହ ଝାରସୁଗୁଡ଼ା, ତାଳଚେର, ଭବାନୀପାଟଣା, ବଲାଙ୍ଗୀର, ମାଲକାନଗିରି, ସୋନପୁର, ବୌଦ୍ଧ ଓ ରାୟଗଡ଼ାର ତାପମାତ୍ରା ୪୦ ଡିଗ୍ରି ପାର୍‌ କରିଥିଲା । ଆଗକୁ ରାଜ୍ୟରେ ଏହି ତାପମାତ୍ରା ଜାରି ରହିବ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ଦେଖାଯିବ ନାହିଁ ।

କେନ୍ଦ୍ରର ସୂଚନା ମୁତାବକ, ଆଜି କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ବର, ଭଦ୍ରକ, ଢେଙ୍କାନାଳ, କନ୍ଧମାଳ, ଗଜପତି, ଗଞ୍ଜାମ, ରାୟଗଡ଼ା ଓ କେନ୍ଦ୍ରାପଡ଼ାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏଣୁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ସେହିପରି ୧୦ ତାରିଖ ଦିନ କନ୍ଧମାଳ, ରାୟଗଡ଼ା, ଖୋର୍ଧା, କଟକ, ଗଞ୍ଜାମ, ନୟାଗଡ଼, ବୌଦ୍ଧ, ପୁରୀ, କୋରାପୁଟ, ମାଲକାନଗିରି, କେନ୍ଦୁଝର ଓ ମୟୂରଭଞ୍ଜରେ ଏବଂ ୧୧ ତାରିଖ ଦିନ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ ଓ ନବରଙ୍ଗପୁରରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ସହ ପବନର ବେଗ ଖୁବ୍‌ ଅଧିକ ରହିବ। ୧୨ ତାରିଖ ଆଡ଼କୁ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର ଓ ଗଜପତି ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ। କିନ୍ତୁ ଏ ଦିନ ପବନର ବେଗ କମ୍‌ ରହିବ। ଏହି ୩ ଦିନ ପାଇଁ ମଧ୍ୟ ଉକ୍ତ ଜିଲ୍ଲାଗୁଡ଼ିକରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ବରର ପାଗ କୋହଲା ରହିଥିଲା । ସର୍ବୋଚ୍ଚ ତାପମାତ୍ରା ୩୬.୨ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଆସନ୍ତା ୨୪ ଘଣ୍ଟାରେ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ତାପମାତ୍ରା ପ୍ରାୟ ୩୬ ଡିଗ୍ରି ରହିବ । ପାଗ ବି ଆଂଶିକ ମେଘୁଆ ରହିବ ବୋଲି ଜଣାପଡ଼ିଛି।