ପୁଣି ତାତି ବଢ଼ିବ : ଏପ୍ରିଲ ଦ୍ବିତୀୟ ସପ୍ତାହ ସୁଦ୍ଧା ରାଜ୍ୟବାସୀଙ୍କୁ ତାତିରୁ ମିଳିବ ନାହିଁ ତ୍ରାହି

ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ

111

କନକ ବ୍ୟୁରୋ : ରାଜ୍ୟରେ ପୁଣି ତାତି ବଢ଼ିବ । ପାରଦ ଊର୍ଧ୍ବମୁଖା ହେବା ସହ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ । ଅଧିକାଂଶ ସ୍ଥାନର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିବ । ମଝିରେ କାଳବୈଶାଖୀଜନିତ ବର୍ଷାର ସମ୍ଭାବନା ଥିଲେ ହେଁ ଏପ୍ରିଲ ଦ୍ବିତୀୟ ସପ୍ତାହ ସୁଦ୍ଧା ରାଜ୍ୟବାସୀଙ୍କୁ ତାତିରୁ ତ୍ରାହି ମିଳିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି ।

କେନ୍ଦ୍ରର ସୂଚନା ଅନୁଯାୟୀ, ୪ ଦିନ ହେଲା ରାଜ୍ୟରେ ତାପମାତ୍ରା ଅପେକ୍ଷାକୃତ କମ୍‌ ରହିଥିଲା। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ମଧ୍ୟ ସ୍ଥିତି ଏହିପରି ରହିବ। ବିଶେଷ ପରିବର୍ତ୍ତନ ହେବ ନାହିଁ। କିନ୍ତୁ ୭ ତାରିଖଠାରୁ ପୁଣି ତାତି ବଢ଼ିବ। ୯ ତାରିଖ ଅପରାହ୍‌ଣ ଆଡ଼କୁ ୯ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷାର ସମ୍ଭାବନା ରହିଛି। ବିଶେଷକରି ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଫଳରେ ସାମୟିକ ସମୟ ପାଇଁ ତାତିରୁ ମୁକ୍ତି ମିଳିବ। କିନ୍ତୁ ତାପମାତ୍ରା ଉପରେ ଏହା ବିଶେଷ ପ୍ରଭାବ ପକାଇବ ନାହିଁ। ଆଗକୁ ତାତି ବଢ଼ିବ ଓ ଏପ୍ରିଲ ଦ୍ବିତୀୟ ସପ୍ତାହ ଶେଷ ସୁଦ୍ଧା ରାଜ୍ୟର ଅଧିକାଂଶ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିବ।

 ରାଜ୍ୟର ସର୍ବାଧିକ ତାପମାତ୍ରା ସୁନ୍ଦରଗଡ଼ଠାରେ ୪୧ଡିଗ୍ରି ରେକର୍ଡ ହୋଇଛି। ରାଜଧାନୀ ଭୁବନେଶ୍ବରର ତାପମାତ୍ରା କମିଛି ଓ ଆଜି ଏହା ୩୭.୫ ଡିଗ୍ରି ରେକର୍ଡ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟ‌ରେ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ତାପମାତ୍ରା ପାଖାପାଖି ୨ଡିଗ୍ରି ବଢ଼ି ପ୍ରାୟ ୩୯ ଡିଗ୍ରି ରହିବ। ଆକାଶ ଆଂଶିକ ମେଘୁଆ ରହିବା ସହ ଅପରାହ୍‌ଣକୁ କାଳବୈଶାଖୀ ଜନିତ ବର୍ଷା ହୋଇପାରେ।