ଆଜି ରାଜ୍ୟର ଏହି ସବୁ ସ୍ଥାନରେ ହୋଇପାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା; ୨୭ରୁ ବଢିବ ବର୍ଷାର ପରିମାଣ, ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା

797

କନକ ବ୍ୟୁରୋ: ଅଗଷ୍ଟ ପ୍ରଥମ ସପ୍ତାହର ଶେଷ ଆଡ଼କୁ ରାଜ୍ୟରେ ପୁଣି ମୌସୁମୀ ସକ୍ରିୟ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରୁଛନ୍ତି। ଜୁଲାଇ ୨୮ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବିଶେଷ ବର୍ଷା ହେବ ନାହିଁ। କିନ୍ତୁ ଏହା ରାଜ୍ୟରେ ମୌସୁମୀକୁ ପୁଣି ସକ୍ରିୟ କରିବାରେ ସାହାଯ୍ୟ କରିବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ରହିଛନ୍ତି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନାନୁସାରେ, ବର୍ତ୍ତମାନ ଓଡ଼ିଶାରେ ମୌସୁମୀ ଦୁର୍ବଳ ରହିଛି। କିନ୍ତୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ତଥା ଏହାର ସଂଲଗ୍ନ ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଛି। ଏହାର ପ୍ରଭାବରେ ଆଜି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ୨୮ ତାରିଖ ଦିନ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ବେଳେ ରାଜ୍ୟର ଅନ୍ୟ ସ୍ଥାନରେ ବି ହାଲ୍କା ବର୍ଷା ହୋଇପାରେ। ୨୭ ଓ ୨୮ ତାରିଖ ରାଜ୍ୟର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବାରୁ କେନ୍ଦ୍ର ପକ୍ଷରୁ ଏହି ଦୁଇ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାପରେ ୨୯ ଓ ୩୦ ତାରିଖରେ ରାଜ୍ୟରେ କିଛି କିଛି ସ୍ଥାନରେ ବର୍ଷା ହୋଇପାରେ।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଅଗଷ୍ଟ ୫ ପର୍ଯ୍ୟନ୍ତନ୍ତ ଉପକୂଳ ଅଞ୍ଚଳର କେତେକ ଜିଲ୍ଲାରେ ମୌସୁମୀ ବର୍ଷା ନିଅଣ୍ଟିଆ ରହିବ। ତେବେ ଦକ୍ଷିଣ ପଶ୍ଚିମ ଓ ଉତ୍ତର ପଶ୍ଚିମ ଓଡ଼ିଶାରେ ପ୍ରାୟତଃ ସ୍ବାଭାବିକ ବର୍ଷା ହୋଇପାରେ। ପ୍ରାଥମିକ ଆକଳନରୁ ଜଣାପଡ଼ୁଛି ଯେ ଅଗଷ୍ଟ ୫ରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହାପରେ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଫଳତଃ ୬ ତାରିଖରୁ ୨/୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ। ତେବେ ଏହାର ପ୍ରକୋପ କ’ଣ ରହିବ ଏହା ୧ ତାରିଖରେ ଅଧିକ ସ୍ପଷ୍ଟ ହେବ।