୨୪ ଘଣ୍ଟା ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ଆଇଏମଡି : ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି

326

କନକ ବ୍ୟୁରୋ : ୨୪ ଘଣ୍ଟା ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ୱାଣ୍ଣିଂ ଜାରି କଲା ଆଇଏମଡି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । ୮ ଜିଲ୍ଲା ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହିଭଳି ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମୟୂରଭଞ୍ଜ, ଢେଙ୍କାନାଳ ଓ ଗଞ୍ଜାମରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ସେହିପରି ୨୬ ତାରିଖ ସକାଳ ୮ଟା ପରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଂଜ,କେନ୍ଦୁଝର ଏବଂ ଢେଙ୍କାନାଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଅନୁଗୁଳ, ଦେବଗଡ, ଖୋର୍ଧା, ପୁରୀ ଏବଂ ସୁନ୍ଦରଗଡରେ ସେହି ସମୟରେ ପ୍ରବଳ ବର୍ଷା ହେବ। ୨୭ ତାରିଖରେ ସୁନ୍ଦରଗଡ଼, ଦେବଗଡ ଏବଂ କେନ୍ଦୁଝରରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି।

ଆଜି ଅପରାହ୍ନରୁ କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳରେ ପବନର ଗତି ବଢ଼ିବ। ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର, ସ୍ଥଳବିଶେଷରେ ୧୧୦ କିଲୋମିଟର ବେଗରୁ ଉପକୂଳକୁ ଘାଣ୍ଟିବ। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଓ ପୁରୀ ଜିଲ୍ଲାରେ ୬୦ରୁ ୮୦ କିଲୋମିଟରରେ ପବନ ହେବ ଓ ବେଳେ ବେଳେ ୯୦ କିଲୋମିଟର ବେଗରେ ଆସି ଝଟ୍‌କା ଦେବ। ଗଞ୍ଜାମ, ଖୋର୍ଧା, କଟକ, ଯାଜପୁର ଏବଂ ମୟୂରଭଂଜରେ ସେହି ସମୟରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ଏବଂ ସ୍ଥଳବିଶେଷରେ ପବନର ବେଗ ୬୦ କିଲୋମିଟର ଯାଏ ଛୁଇଁପାରେ।

୨୬ ତାରିଖରେ ପୁରୀ, କଟକ, ଖୋର୍ଧା ଏବଂ ଯାଜପୁରରେ ପବନର ବେଗ ୮୦ରୁ ୯୦ କିଲୋମିଟର ରହିବ ଏବଂ ବେଳେ ବେଳେ ୧୧୦ କିଲୋମିଟର ବେଗରେ ଝଟ୍‌କା ଦେବ। ଗଞ୍ଜାମ, ଢେଙ୍କାନାଳ, କେନ୍ଦୁଝରରେ ଘଣ୍ଟାପ୍ରତି ୯୦ କିଲୋମିଟର ଛୁଇଁପାରେ ପବନ। ଅନୁଗୁଳ, ଦେବଗଡ ଏବଂ ସୁନ୍ଦରଗଡରେ ପବନର ବେଗ ୭୦ କିଲୋମିଟର ଛୁଇଁବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ।

୨୭ ତାରିଖରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ମୟୂରଭଂଜ, କେନ୍ଦୁଝର, ସୁନ୍ଦରଗଡ, ଦେବଗଡରେ ପବନର ବେଗ ଘଣ୍ଟା ପ୍ରତି ୫୦ରୁ ୬୦ ଏବଂ ବେଳେ ବେଳେ ୭୦ କିଲୋମିଟର ବେଗରେ ଧକ୍‌କା ଦେଇପାରେ। ଏହି ସମୟରେ ସମୁଦ୍ର ଭୀଷଣ ଅଶାନ୍ତ ରହିବ ଏବଂ ଫୁଲି ଉଠି କିଛି ସ୍ଥାନରେ ଆଗକୁ ମାଡ଼ିଆସିବ। ବାଲେଶ୍ବର ଏବଂ ଭଦ୍ରକରେ ୪ ମିଟର ଯାଏ ଏବଂ କେନ୍ଦ୍ରାପଡ଼ା, ଜଗତସିଂହପୁରରେ ୨ ମିଟର ଉଚ୍ଚର ଜୁଆର ମାଡ଼ିଆସିବ। ପାଣିପାଗ ବିଭାଗ କହିଛି, ବିଦ୍ୟୁତ ଖୁଣ୍ଟ ଠାରୁ ଆରମ୍ଭ କରି ଟେଲିଫୋନ୍ ଟାଵାର ଉପୁଡି ଯାଇପାରେ। କଚ୍ଚା ଘର ଭାଙ୍ଗିଯାଇପାରେ, ପକ୍କା ରୋଡ୍ ଭାସିଯିବା ବିଚିତ୍ର ନୁହେଁ। ରେଳ ଚଳାଚଳ ଗଭୀର ଭାବେ ପ୍ରଭାବିତ କରିବ ଏବଂ ଗଛପତ୍ର ଭାଙ୍ଗି ଛିନ୍‌ଛତ୍ର କରିଦେବ ବାତ୍ୟା ‘ୟାସ୍’।