୪୮ ଘଣ୍ଟାରେ ମୌସୁମୀ ବାୟୁ ଫେରିବା ପ୍ରକ୍ରିୟା ଆରମ୍ଭ ! ଆସନ୍ତା ୨ ଦିନ ମଧ୍ୟରେ ଓଡ଼ିଶାରୁ ଅପସାରିତ ଯିବ ମୌସୁମୀ: ୪/୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ସମ୍ଭାବନା କ୍ଷିଣ

254

କନକ ବ୍ୟୁରୋ: ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପାଗ ଶୁଖିଲା ରହିଥିଲା। ଏହି ସମୟ ମଧ୍ୟରେ ଅନୁଗୁଳ ଓ ଢେଙ୍କାନାଳ ଆଦି ଜିଲ୍ଲାର କିଛି ସ୍ଥାନରେ ବର୍ଷା ହୋଇଯାଇଛି। ଉପକୂଳରେ କାଁ ଭାଁ ବର୍ଷା ହୋଇଥିବା ବେଳେ ପଶ୍ଚିମ ଓଡ଼ିଶାରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ଓ ଖରାଟିଆ ରହିଥିଲା। ରାଜ୍ୟରେ ଏବେ ଲଘୁଚାପ ସମ୍ଭାବନା ନଥିବାରୁ ପାଗ ଶୁଖିଲା ରହିବ। ଫଳରେ ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ ଓଡ଼ିଶା ଓ ଉତ୍ତର-ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫେରିବା ଆରମ୍ଭ କରିବ। ଏହାର ପରବର୍ତ୍ତୀ ୨ ଦିନରେ ସାରା ରାଜ୍ୟରୁ ମୌସୁମୀ ଅପସାରିତ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୪/୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ସମ୍ଭାବନା ନାହିଁ। ଉପକୂଳ ଓ ସଂଲଗ୍ନ ଓଡ଼ିଶାର କିଛି କିଛି ସ୍ଥାନରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସ୍ବଳ୍ପ ବର୍ଷା ହୋଇପାରେ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି କିଛି ସ୍ଥାନରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହେବ। ଏହାପରେ ସମ୍ପୂର୍ଣ୍ଣ ଓଡ଼ିଶାରେ ପାଗ ଶୁଖିଲା ରହିବ। ତାପମାତ୍ରା ଏହି ସମୟରେ ବିଶେଷ ବଢ଼ିବ ନାହିଁ। ୧/୨ ଡିଗ୍ରି ପର୍ୟ୍ୟନ୍ତ ପାରଦ ସ୍ତର କମିପାରେ। ଫଳରେ ପାହାନ୍ତାରୁ ହାଲ୍କା ଶୀତ ଅନୁଭୂତ ହେବ। କିନ୍ତୁ ଶୀତ ଆସିବାକୁ ଆହୁରି ବିଳମ୍ବ ହେବ।