୧୮ରୁ ପୁଣି ଶୀତ ବଢ଼ିବ…! ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଶୁଖିଲା ପାଗ: ୧୬ରେ କିଛି ସ୍ଥାନରେ ବର୍ଷା ସମ୍ଭାବନା

99

କନକ ବ୍ୟୁରୋ: ରାଜ୍ୟର ସର୍ବନିମ୍ନ ତାପମାତ୍ରା ବଢ଼ିବାରୁ ଏବେ ଶୀତ କମିଛି। ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ଏବେ ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ଅଧିକ ରହିଛି। ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ହାଲ୍କାରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳୁଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ୨/୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖାଯିବ ନାହିଁ। ୧୬ ତାରିଖ ଆଡ଼କୁ ଉପାନ୍ତ ଉତ୍ତର-ପଶ୍ଚିମ ଜିଲ୍ଲାଗୁଡ଼ିକରେ ସ୍ବଳ୍ପ ବର୍ଷା ହୋଇପାରେ। ଅବଶିଷ୍ଟ ଅଞ୍ଚଳର ପାଗ କୋହଲା ରହିବ। ଫଳରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇବ। ୧୮ ତାରିଖ ଆଡ଼କୁ ପୁଣି ରାଜ୍ୟର ସର୍ବନିମ୍ନ ତାପମାତ୍ରା ଖସିବ। ୧୯ ତାରିଖ ସୁଦ୍ଧା ରାତ୍ରି ତାପମାତ୍ରା ୪ ଡିଗ୍ରି ପର୍ଯ୍ୟନ୍ତ ଖସିବ ଓ ରାଜ୍ୟରେ ଶୀତ ଆରମ୍ଭ ହୋଇଯିବ ବୋଲି କେନ୍ଦ୍ର କହିଛି।

ଗତ ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ସ୍ଥାନରେ ପାଗ ଶୁଖିଲା ରହିଥିଲା। କଟକ, ଜଗତସିଂହପୁର, ଅନୁଗୁଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି ଓ ନୟାଗଡ଼ ଆଦି ଜିଲ୍ଲାରେ ହାଲ୍କାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିଥିଲା। ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ଅଧିକ ରହିଛି। ରାଜ୍ୟ ସର୍ବନିମ୍ନ ତାପମାତ୍ରା ଫୁଲବାଣୀଠାରେ ୧୨ ଡିଗ୍ରି ରେକର୍ଡ ହୋଇଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ୧୬ ତାରିଖ ଉପାନ୍ତ ଉତ୍ତର-ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକ ଯଥା, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କେନ୍ଦୁଝର ଆଦି ଜିଲ୍ଲାରେ ସ୍ବଳ୍ପ ବର୍ଷା ହେବ। ଅବଶିଷ୍ଟ ଜିଲ୍ଲାରେ ପାଗ ଶୁଖିଲା ଓ କୋହଲା ରହିବ।

ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ସୁନ୍ଦରଗଡ଼, ବୌଦ୍ଧ ଆଦି ଜିଲ୍ଲାରେ ଆଜି ହାଲ୍କାରୁ ମଧ୍ୟମଧରଣର ବର୍ଷା ହେବ। ଆସନ୍ତା ୩/୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଏହା ପରେ ୪ ଡିଗ୍ରି ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନର ତାପମାତ୍ରା ହ୍ରାସ ପାଇବ। ୧୮ ଓ ୧୯ ତାରିଖ ଆଡ଼କୁ ରାଜ୍ୟର ପାରଦ ୪ ଡିଗ୍ରି ପର୍ଯ୍ୟନ୍ତ ଖସିବ। ଭୁବନେଶ୍ବରର ତାପମାତ୍ରା ଆଜି ବି ୧୯ ଡିଗ୍ରି ପାଖାପାଖି ରହିବ ବୋଲି କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି।