ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା: ୧୧ଟି ଜିଲ୍ଲାରେ ରେଡ୍ ୱାର୍ଣ୍ଣିଂ ଓ ୮ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି

ବନ୍ୟା ପରିସ୍ଥିତି, ଭୂ-ସ୍ଖଳନ ପାଇଁ ସତର୍କ ରହିବାକୁ ପରାମର୍ଶ ଦେଲା ପାଣିପାଗ ବିଭାଗ

3,655

କନକ ବ୍ୟୁରୋ: ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳ ଧିରେ ଧିରେ ଘନୀଭୂତ ହୋଇ ଲଘୁଚାପର ରୂପ ନେଇ ସାରିଛି । ଉତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ଲଘୁଚାପ ଆସନ୍ତା କିଛି ଘଂଟା ପରେ ଅଧିକ ଘନୀଭୂତ ହେବ । ଏହାର ପ୍ରଭାବରେ ଆସନ୍ତା ତିନି ଦିନ ମଧ୍ୟରେ ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷାର ଆକଳନ କରାଯାଉଥିବା କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ ଉପକୂଳ ଏବଂ ଉତର ଓଡିଶାର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ।

ଆଜି ପାଇଁ ୧୧ଟି ଜିଲ୍ଲାରେ ରେଡ ୱାର୍ନିଂ ଜାରି କରାଯାଇଥିବା ବେଳେ ୮ଟି ଜିଲ୍ଲାରେ ୟେଲୋ ୱାର୍ନିଂ ଜାରି ହୋଇଛି । ଅଗଷ୍ଟ ୨୬ ତାରିଖ ସକାଳ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ ଓ ଦେବଗଡ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାରେ ବର୍ଷା ଯୋଗୁଁ ପାଣି ଜମିବା, ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନା ରହିଛି । ଏପରିକି ପାହାଡିଆ ଅଂଚଳରେ ଭୂସ୍ଖଳନ ହୋଇ ପାରେ ବୋଲି ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ ।

ସେପଟେ ପୁରୀ, ଖୋର୍ଦ୍ଧା, ସୁନ୍ଦରଗଡ, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର ଓ କନ୍ଧମାଳ ଜିଲ୍ଲା ପାଇଁ ୟେଲୋ ୱାର୍ନିଂ ଜାରି ହୋଇଛି ଏବଂ ଏହି ସବୁ ଅଂଚଳରେ କେତେକ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହୋଇପାରେ । ଫଳରେ ତଳିଆ ଅଂଚଳରେ ପାଣି ଜମି ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି । ମାଟିଘର ଗୁଡିକ ପ୍ରଭାବିତ ହୋଇପାରେ ବୋଲି ଆକଳନ କରି ସତର୍କ ସୂଚନା ଜାରି କରିଛି ଆଇଏମଡି ।