କନକ ବ୍ୟୁରୋ: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଏହା ଧୀରେଧୀରେ ପଶ୍ଚିମ ଉତ୍ତର-ପଶ୍ଚିମକୁ ଗତି କରିବ ଓ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ। ଫଳରେ ୧୦ତାରିଖରୁ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
Kanak News is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୧୦ ଓ ୧୧ ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ୧୦ ତାରିଖ ଦିନ ରାଜ୍ୟର ୮ଟି ଜିଲ୍ଲାରେ ଯଥା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏଥିପାଇଁ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୧ତାରିଖ ଦିନ ବର୍ଷାର ପ୍ରକୋପ ବଢ଼ିବ। ଏ ଦିନ ୧୦ଟି ଜିଲ୍ଲାରେ ଅତିପ୍ରବଳ ବର୍ଷିବ। ଏହି ଜିଲ୍ଲାଗୁଡ଼ିକ ହେଲା, କୋରାପୁଟ, ମାଲକାନାଗିରି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ଗଞ୍ଜାମ, ପୁରୀ ଓ ବୌଦ୍ଧ। ଏସବୁ ଜିଲ୍ଲାରେ ବର୍ଷାର ପରିମାଣକୁ ଲକ୍ଷ୍ୟ ରଖି କେନ୍ଦ୍ର ପକ୍ଷରୁ ୧୧ ତାରିଖ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ ବର୍ଷାର ପରିମାଣ ୬୪ମିମିରୁ ୨୦୪ ମିମି ପର୍ଯ୍ୟନ୍ତ ରହିବ।
ଖାଲି ସେତିକି ନୁହେଁ, ୮ ତାରିଖ ଓ ୯ ତାରିଖରେ ରାଜ୍ୟରେ କାଳବୈଶାଖୀଜନିତ ବର୍ଷା ଲାଗି ରହିବ। ଆଜି ରାଜ୍ୟର ଉତ୍ତର ଉପକୂଳ ସମେତ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଗଞ୍ଜାମ, କନ୍ଧମାଳ, ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ନବରଙ୍ଗପୁର ଆଜି ଜିଲ୍ଲାର କିଛି କିଛି ସ୍ଥାନରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବ ଓ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ୯ ତାରିଖ ଦିନ ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଦେବଗଡ଼, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବର୍ଷା ହେବ। ଏଥିସହ ଗଞ୍ଜାମ ଓ ଗଜପତି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କେନ୍ଦ୍ର ପକ୍ଷରୁ ୮ ଓ ୯ ତାରିଖ ପାଇଁ ବର୍ଷା ହେବାକୁ ଥିବା ଜିଲ୍ଲାଗୁଡ଼ିକ ନିମନ୍ତେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।