ରାଜ୍ୟରେ କାଳବୈଶାଖୀ ବର୍ଷା : ୧୧ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

5,316

କନକ ବ୍ୟୁରୋ : ୪ ଦିନ ହେଲା ଭୀଷଣ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଥିବା ରାଜ୍ୟବାସୀଙ୍କୁ କାଳ‌ବୈଶାଖୀ ସାମାନ୍ୟ ଆଶ୍ବସ୍ତ କରିଛି । ଶୁକ୍ରବାର ମଧ୍ୟାହ୍ନରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିଥିବା ବେଳେ କିଛି କିଛି ଜିଲ୍ଲାରେ ହାଲ୍‌କାରୁ ମଧ୍ୟମଧରଣର ବର୍ଷା ହୋଇଛି। ଏବେ ରାଜ୍ୟରେ କାଳବୈଶାଖୀ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି । ତେଣୁ ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହିପରି ସ୍ଥିତି ଜାରି ରହିବ । ପାଗ ଥଣ୍ଡା ରହିବ ଓ ୩ ଦିନ ପରେ ସାମ୍ଭାବ୍ୟ ବାତ୍ୟା ଯୋଗୁଁ ହେବାକୁ ଥିବା ପ୍ରବଳ ବର୍ଷା ପାଇଁ ତାପମାତ୍ରା ପ୍ରାୟ ୪ ଡିଗ୍ରି ପର୍ଯ୍ୟନ୍ତ କମିବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି ।

ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି, ଶୁକ୍ରବାର ଅପରାହ୍‌ଣରେ ସମଗ୍ର ଉପକୂଳ ଯଥା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ହାଲ୍‌କାରୁ ମଧ୍ୟମଧରଣର ବର୍ଷା ହୋଇଥିବା ବେଳେ ଗଞ୍ଜାମ, ଗଜପତି, କନ୍ଧମାଳ, ଯାଜପୁର ଓ ଭଦ୍ରକ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଯାଇଛି । ଆଜି ମଧ୍ୟ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ତେଣୁ ଏହି ୧୧ ଜିଲ୍ଲା ପାଇଁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

୨୩ ତାରିଖ ଦିନ ରାଜ୍ୟରେ ପାଗ ଶୁଖିଲା ରହିବ । ୨୪ ତାରିଖ ଦିନ ବି ରାଜ୍ୟର କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବ। ୨୫ ତାରିଖ ଦିନ ସାମ୍ଭାବ୍ୟ ବାତ୍ୟା ଯୋଗୁଁ ରାଜ୍ୟରେ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ । ଉପକୂଳବର୍ତ୍ତୀ ଜିଲ୍ଲା ଯଥା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ ଓ ଖୋର୍ଧା ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସେହିପରି ଗଞ୍ଜାମ, ଢେଙ୍କାନାଳ ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଣୁ ଏ ସବୁ ଜିଲ୍ଲାରେ ସତର୍କ ରହିବା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର।