କନକ ବ୍ୟୁରୋ: କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ତାପମାତ୍ରା କମିଥିବାବେଳେ ଏହିଭଳି ପାଗ ଆଉ ଦୁଇ ଦିନ ହେବ। କିନ୍ତୁ ୨୩ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ତାତି ବଢ଼ିବ। ୨୭ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ସମ୍ଭାବନା ନଥିବାବେଳେ ଏହାପରେ ତାତି କମିବ। ୨୩ରୁ ୨୭ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ଡିଗ୍ରି ପାଖାପାଖି ରହିବାକୁ ଥିବାବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ୪୨ଡିଗ୍ରି ଛୁଇଁପାରେ। ଏହିଭଳି ପୂର୍ବାନୁମାନ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କରିଛନ୍ତି।
୨୨ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ପବନ ହେବ। ୨୨ତାରିଖ ଉପରବେଳା ମେଘୁଆ ପାଗ ସହ ଝିପିଝିପି ବର୍ଷା ହୋଇପାରେ। ଏହାପରେ ପାଗ ଖରାଟିଆ ହେବ। ରାତିରେ ସର୍ବନିମ୍ନ ତାପମାତ୍ରା ବଢ଼ିବା ସହ ବାୟୁର ଆଦ୍ରତା କମିବ। ଯାହା ପ୍ରଭାବରେ ଅଧିକ ଗରମ ଅନୁଭୂତ ହେବ। ଏହି ସମୟରେ ବଙ୍ଗୋପସାଗରରୁ ଦକ୍ଷିଣା ପବନ ବଢ଼ିବ। କିନ୍ତୁ ଆକାଶ ମେଘମୁକ୍ତ ରହୁଥିବାରୁ ଥଣ୍ଡା ପବନ ହେବନି। ଅପରପକ୍ଷେ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ଯେ, ୨୩ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବର୍ଷା ପବନ ହେବ। ୨୪ ଓ ୨୫ରେ ଖରା ଅଧିକ ହେବ। ହେଲେ ୨୬ତାରିଖରୁ ପାଗ ପୁଣି ବଦଳିବ।
ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଗତକାଲି ମାଲକାନଗିରିରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୦ଡିଗ୍ରି ରେକର୍ଡ ହୋଇଛି। ମାଲକାନଗିରିକୁ ଛାଡ଼ି ରାଜ୍ୟର କୌଣସି ସ୍ଥାନରେ ବି ପାରଦ ୪୦ଡିଗ୍ରି ଛୁଇଁନି। ଏପରିକି କୌଣସି ସ୍ଥାନରେ ପାରଦ ୩୮ଡିଗ୍ରି ଉପରକୁ ଯାଇନି। କାଳବୈଶାଖୀ ପ୍ରଭାବରେ ଗତ ୨୪ଘଣ୍ଟା ମଧ୍ୟରେ ଦାରିଙ୍ଗବାଡ଼ିରେ ସର୍ବାଧିକ ୧୯ମିମି, ସୋନପୁରରେ ୧୩.୮ମିମି, ଫୁଲବାଣୀରେ ୩.୨ମିମି, ବଲାଙ୍ଗୀରରେ ୧୪ମିମି, ଭବାନିପାଟଣାରେ ୧୦.୪ମିମି, ତାଳଚେରରେ ୭ମିମି, ହୀରାକୁଦରେ ୦.୫ମିମି, ସୁନ୍ଦରଗଡ଼ରେ ୧୦ମିମି, କେନ୍ଦୁଝରରେ ୧୨.୧ମିମି, ଝାରସୁଗୁଡ଼ାରେ ୨.୩ମିମି, ବାରିପଦାରେ ୧.୬ମିମି, ଅନୁଗୁଳରେ ୩ମିମି, ପୁରୀରେ ୧.୫ମିମି, ଭୁବନେଶ୍ବରରେ ୦.୬ମିମି, କଟକରେ ୪.୨ମିମି, ବାଲେଶ୍ବରରେ ୩.୩ମିମି, ଚାନ୍ଦବାଲିରେ ୧.୫ମିମି, ଗୋପାଳପୁରରେ ୦.୭ମିମି ବର୍ଷା ହୋଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/03/3-1.jpg)