ବାତ୍ୟା ଫୋନି ଉପରେ ସମଗ୍ର ବିଶ୍ୱର ନଜର : ସମୁଦ୍ର ଭିତରେ ଅଧିକ ସମୟ ରହିଲେ ହେବ ପ୍ରଳୟଙ୍କାରୀ, ପାଣିପାଗ ବିଶେଷଜ୍ଞଙ୍କ ସୂଚନା

454

କନକ ବ୍ୟୁରୋ : କେବଳ ଓଡିଶା ଓ ଭାରତୀୟ ପାଣିପାଗ ବିଭାଗ ନୁହଁ ବିଭିନ୍ନ ପାଣିପାଗ ସଂସ୍ଥା ତଥା ସାରା ବିଶ୍ୱର ନଜର ବାତ୍ୟା ଫୋନି ଉପରେ ରହିଛି । ଏହା ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇସାରିଛି । ଖବର ଅନୁସାରେ, ପୁରୀ ଠାରୁ ପାଖାପାଖି ୪୫୦ କିଲୋମିଟର ଦୂରରେ ବାତ୍ୟା ରହିଛି ଏବଂ ଏହା ଘଂଟା ପ୍ରତି ୧୫ କିଲୋମିଟର ବେଗରେ ଗତି କରୁଛି । ପୁରୀ ସ୍ଥଳଭାଗକୁ ମାଡି ଆସୁଛି ବାତ୍ୟା । ଆସନ୍ତାକାଲି ସଂଧ୍ୟା ସାଢେ ୫ରେ ପୁରୀ ନିକଟରେ ଲ୍ୟାଣ୍ଡଫଲ କରିପାରେ । ପୁରୀ ପରେ ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଦେଇ ଓଡିଶା ଅତିକ୍ରମ କରିବ । ଏଥିପାଇଁ ଓଡିଶା ସରକାର ତରଫରୁ ବ୍ୟାପକ ପ୍ରସ୍ତୁତି ମଧ୍ୟ ହୋଇସାରିଛି । ଲୋକଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟା ଜାରି ରହିଛି । ରାଜ୍ୟରେ ୮ଲକ୍ଷ ଲୋକଙ୍କୁ କରାଯିବ ସ୍ଥାନାନ୍ତରଣ । ପୁରୀରେ ୧ ଲକ୍ଷ ୪ ହଜାର, କଟକରେ ୬୦ ହଜାର ଲୋକ ସ୍ଥାନାନ୍ତର ହେବେ । ସୁରକ୍ଷିତ ସ୍ଥାନକୁ ଯିବାକୁ ସତର୍କ ସାଇରନ୍ ବାଜୁଛି ।

ବାତ୍ୟା ଫୋନିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ । ସେ କହିଛନ୍ତି, “ଆଜି ସକାଳ ୫ଟାରେ ବାତ୍ୟା ଉତ୍ତର-ଉତ୍ତର-ପୂର୍ବ ଦିଗରେ ଘଂଟା ପ୍ରତି ୯କିମି ବେଗରେ ଗତି କରୁଥିଲା । ଏହି ଗତିର ଦିଗ ଆସନ୍ତାକାଲି ପର୍ଯ୍ୟନ୍ତ ଲାଗୁ ରହିବ । ତା’ପରେ ଧିରେ ଧିରେ ବେଗ ବଢ଼ିବ । ଯେତେବେଳେ ଏହା ଓଡିଶା ଭିତର ଦେଇ ଗତି କରିବ ଏହାର ବେଗ ଅଧିକ ବଢ଼ିବ । ଭାରତୀୟ ପାଣିପାଗ ବିଭାଗ ଓ ବିଶ୍ୱସ୍ତରୀୟ ଜେଟିଡବ୍ଲ୍ୟୁସିର ଆକଳନ ପ୍ରାୟ ସମାନ ରହୁଥିବା ଜଣାପଡୁଛି । ବାତ୍ୟାର ବେଗରେ ବାରମ୍ବାର ପରିବର୍ତ୍ତନ ଘଟୁଛି । କେତେବେଳେ ଏହା ବଢୁଛି ତ କେତେବେଳେ ଏହା କମୁଛି । ଯଦି ବାତ୍ୟାର ବେଗ କମିଯାଉଛି ଓ ଏହା ସମୁଦ୍ର ଭିତରେ ଅଧିକ ସମୟ ରହୁଛି । ତେବେ ତାହା ଅଧିକ ଶକ୍ତିଶାଳୀ ରହିବ ।”