ଶୀତ ପାଇଁ ହାଇଆଲର୍ଟ : ୩୧ ଯାଏଁ ଥରିବ ସାରା ଓଡିଶା, ହୋଇପାରେ ତୁଷାରପାତ, ସ୍ଥିତି ଉପରେ ନଜର ରଖିବାକୁ ସରକାରଙ୍କୁ ପରାମର୍ଶ

ମେଘମୁକ୍ତ ଆକାଶ ସାଙ୍ଗକୁ ସମୁଦ୍ରରୁ ପବନ ବନ୍ଦ, ବଢାଉଛି ଶୀତ

314

କନକ ବ୍ୟୁରୋ: ମାଡ଼ି ଆସୁଛି ଜାଡ଼। ତିନି ଦିନ ଧରି ଥରାଇବ। ଅସ୍ତବ୍ୟସ୍ତ କରିପକାଇବ। ଘରୁ ବାହାରିବା ବି ମୁସ୍କିଲ ହୋଇପଡ଼ିବ। ସନ୍ଧ୍ୟାରୁ ସକାଳ ୧୦ଟା ପର‌୍ୟ୍ୟନ୍ତ ସ୍ଥିତି ସଙ୍ଗିନ ରହିବ। ପଞ୍ଜାବ, ହରିୟାନା, ହିମାଚଳ ପ୍ରଦେଶ, ରାଜସ୍ଥାନରେ ହେଉଥିବା ହାଡ଼ଭଙ୍ଗା ଶୀତ ଓଡ଼ିଶାରେ ମଧ୍ୟ ଅନୁଭୂତ ହେବ।

ଉତ୍ତର ଓ ଅଭ୍ୟନ୍ତରୀଣ ଓଡ଼ିଶାରେ ସ୍ଥିତି ଅଧିକ ସାଂଘାତିକ ହେବାର ପୂର୍ବାନୁମାନ କରାଯାଇଛି। ମୟୂରଭଞ୍ଜ, ବାଲେଶ୍ବର, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଭଦ୍ରକ ଜିଲ୍ଲାରେ ରାତି ସମୟରେ ପ୍ରବଳ ଥଣ୍ଡା ଅନୁଭୂତ ହେବ। ଦକ୍ଷିଣ ଓଡ଼ିଶାରେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ପାରଦ ରେକର୍ଡ ଭାଙ୍ଗିପାରେ। ଏପରିକି ଡିସେମ୍ବର ମାସରେ ସର୍ବକାଳୀନ ରେକର୍ଡ ବି ହୋଇପାରେ। ତୁଷାରପାତ ହେବା ନେଇ ବି ପାଣିପାଗ ବିଶେଷଜ୍ଞ ଅନୁମାନ କରିଛନ୍ତି। ପଶ୍ଚିମ ଓଡ଼ିଶାରେ ବି ପାଖାପାଖି ସ୍ଥିତି ରହିବ। ଅଧିକାଂଶ ସହରରେ ପାରଦ ୫ ଡିଗ୍ରି ପାଖକୁ ଖସି ଆସିବ। ଉପକୂଳ ଓଡ଼ିଶା ବି ଥଣ୍ଡାରେ ଥରିବ। ଭୁବନେଶ୍ବର, କଟକ, କେନ୍ଦ୍ରାପଡ଼ା, ନୟାଗଡ଼, ଢେଙ୍କାନାଳ, ଯାଜପୁର ପ୍ରଭୃତି ସ୍ଥାନରେ ଦେହ ଥରାଇଲା ଭଳି ଥଣ୍ଡା ଲାଗିରହିବ।

ଡିସେମ୍ବର ୨୯ରୁ ୩୧ ଯାଏ ହାଡ଼ଭଙ୍ଗା ଶୀତ ହେବାକୁ ଥିବାରୁ ଓଡ଼ିଶା ପ୍ରଶାସନକୁ ସଜାଗ କରିଛି ଭାରତୀୟ ପାଣିପାଗ ବିଭାଗ। ତିନି ଦିନର ସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି। ଜାଡ଼ରେ ଲୋକଙ୍କ ପ୍ରାଣହାନୀ ଘଟିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ସେଥିପାଇଁ ପ୍ରତି ମୁହୂର୍ତ୍ତରେ ଜଳବାୟୁ ପରିବତର୍ନ ସମ୍ପର୍କରେ ଅବଗତ ରହିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସେପଟେ ଉତ୍ତର ଓଡ଼ିଶାରେ ସାଂଘାତିକ ପରିସ୍ଥିତି ସୃଷ୍ଟି ହେବା ନେଇ ପୂର୍ବାନୁମାନ କରାଯାଇଛି। ଶୁକ୍ରବାରଠାରୁ ପଞ୍ଜାବ, ହରିଆନା, ଚଣ୍ଡିଗଡ଼, ଦିଲ୍ଲୀ ଓ ଉତ୍ତର ରାଜସ୍ଥାନରେ ପ୍ରଚଣ୍ଡ ଥଣ୍ଡା ଅନୁଭୂତ ହେବ। ଦୁଇ ଦିନ ଧରି ଏଭଳି ସ୍ଥିତି ଲାଗିରହିବ। ଏହାପରେ ଉକ୍ତ ରାଜ୍ୟଗୁଡ଼ିକରେ ସ୍ଥିତିରେ କିଛିଟା ସୁଧାର ଆସିବ। ତେବେ ୩୧ ତାରିଖ ପର‌୍ୟ୍ୟନ୍ତ ଉତ୍ତର, ମଧ୍ୟ ଓ ଉତ୍ତର-ପୂର୍ବ ଭାରତରେ ଥଣ୍ଡା ଜାରି ରହିବ। ରାତିରେ ହାରାହାରି ତାପମାତ୍ରା ୪ରୁ ୬ ଡିଗ୍ରି ପର‌୍ୟ୍ୟନ୍ତ ହ୍ରାସ ପାଇବ। ଉତ୍ତର ଓ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଘନ କୁହୁଡ଼ି ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ପାଣିପାଗ ବିଶେଷଜ୍ଞଙ୍କ କହିବା କଥା ହେଉଛି ଯେ ଉତ୍ତର ପଶ୍ଚିମ ଭାରତରେ ତାପମାତ୍ରା କମୁଛି। ଯାହାର ପ୍ରଭାବ ସିଧାସଳଖ ଉଡ଼ିଶା ଉପରେ ବଡ଼ୁଛି। ଓଡ଼ିଶାର ଆକାଶ ଏବେ ମେଘମୁକ୍ତ ରହୁଥିବା ବେଳେ ହାଲ୍କା ପବନ ହେଉଥିବାରୁ ବାୟୁମଣ୍ଡଳରୁ ଜଳୀୟ ବାଷ୍ପ ଶୁଖିଯାଉଛି। ସମୁଦ୍ର ଆଡ଼ୁ ବି ପବନର ପ୍ରବାହ ନାହିଁ। ତେଣୁ ଥଣ୍ଡା ବଢ଼ୁଛି। ୨୯ରୁ ୩୧ ତାରିଖ ଯାଏ ପ୍ରବଳ ଥଣ୍ଡା ଅନୁଭୂତ ହେବ। ଲୋକେ ଏଥିପ୍ରତି ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ଏହାପରେ ସ୍ଥିତିରେ କିଛିଟା ସୁଧାର ଆସିବ। ରାତିର ତାପମାତ୍ରା ପୁଣିଥରେ ବଢ଼ିବ।