କନକ ବ୍ୟୁରୋ : ଜାଡ଼ରେ ଥରୁଛି ସାରା ଓଡ଼ିଶା। ଗତ ଦୁଇଦିନ ହେଲା ପ୍ରବଳ ଶୀତ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଲାଣି । ଗତରାତିରେ ରାଜ୍ୟର ୧୦ ସହରର ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିଲା । ଦାରିଙ୍ଗବାଡ଼ି ଓ ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରି ରେକର୍ଡ ହୋଇଥିବା‌ ବେଳେ କେନ୍ଦୁଝର, ସୋନପୁର ଓ ଭବାନୀପାଟଣାରେ ୮ ଡିଗ୍ରି , ଝାରସୁଗୁଡ଼ାରେ ୮.୪ ଡିଗ୍ରି, କୋରାପୁଟ, ନୟାଗଡ଼, ବଲାଙ୍ଗୀର ଓ ଅନୁଗୁଳରେ ୯ ଡିଗ୍ରି ଓ ବୌଦ୍ଧଠାରେ ୧୦ ଡିଗ୍ରି ରେକର୍ଡ ହୋଇଛି । ଭୁବନେଶ୍ବରରେ ୧୧.୨ ଓ କଟକରେ ୧୨ ଡିଗ୍ରି ରାତି ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ଶୀତ ଜାରି ରହିବ ।

Advertisment

ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଥଣ୍ଡା-ଶୁଷ୍କ ବାୟୁ ପ୍ରଭାବରେ ଆହୁରି ୨ ଦିନ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଶୀତ ଲହରି ପ୍ରବାହିତ ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରି ଯାଏ କମ୍‌ ରହିବ । ଏହାପରେ ତାପମାତ୍ରା ବଢ଼ିବାରେ ଲାଗିବ । ତାପମାତ୍ରା ୩ ଡିଗ୍ରି ଯାଏ ବୃଦ୍ଧି ପାଇବ। ଫଳରେ ଶୀତ ପ୍ରକୋପ ସାମାନ୍ୟ କମ୍‌ ରହିବ ।

ଆଜି ରାଜ୍ୟର ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ସୋନପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଆଦି ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତ ହେବ । ଏଥିସହ ୩୧ ତାରିଖ ଦିନ ଝାରସୁଗୁଡ଼ା, ବଲାଙ୍ଗୀର, ବରଗଡ଼, ସୋନପୁର, କଳାହାଣ୍ଡି ଓ ନୂଆପଡ଼ା ଆଦି ଜିଲ୍ଲାରେ ଶୀତ ଲହରି ପ୍ରବାହିତ ହେବ। ଏଣୁ ଏସବୁ ଅଞ୍ଚଳରେ ଲୋକଙ୍କୁ ସତର୍କ ରହିବାକୁ ତଥା ଶୀତରେ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯିବା ସହ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର  ।