ଗତ ଗୁରୁବାର ଜମ୍ମୁ-କଶ୍ମୀରର ପୁଲଓ୍ଵାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ। ଏହି ସହିଦ ଯବାନ ମାନଙ୍କ ମଧ୍ୟରେ ତାମିଲନାଡୁର ସି ଶିବଚନ୍ଦ୍ରନ ବି ସାମିଲ ଥିଲେ। ଗତକାଲି ଶିବଚନ୍ଦ୍ରନଙ୍କ ପାର୍ଥିବ ଶରୀର ତାଙ୍କ ଜନ୍ମମାଟିରେ ପହଞ୍ଚିଥିଲା। ସହିଦଙ୍କ ଶେଷ ଦର୍ଶନ ପାଇଁ ହଜାର ହଜାର ଲୋକ ଏକଜୁଟ ହୋଇଥିଲେ। ଏହି ସମୟରେ ଶିବଚନ୍ଦ୍ରନଙ୍କ ମାତ୍ର ଦୁଇ ବର୍ଷର ପୁଅ ଶିବମୁନିୟାନଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମନଙ୍କ ସମେତ ଘଟଣାସ୍ଥଳରେ ଥିବା ହଜାର ହଜାର ଲୋକ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଶିବମୁନିୟାନ ସହିଦ ପିତାଙ୍କୁ ଅନ୍ତିମ ବିଦାୟ ଦେବା ପାଇଁ ପିତାଙ୍କ ୟୁନିଫର୍ମ ପିନ୍ଧିଥିଲା। ଏବଂ ପିତାଙ୍କ କଫିନରେ ଚୁମ୍ବନ ଦେଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏ ଦୃଶ୍ୟ ଦେଖି ସହିଦଙ୍କ ନିକଟରେ ଉପସ୍ଥିତ ଥିବା ହଜାର ହଜାର ଲୋକଙ୍କ ଆଖିରେ ଲୁହ ଭରି ଯାଇଥିଲା ।

Advertisment

publive-imageତାମିଲନାଡୁର ସି ଶିବଚନ୍ଦ୍ରନ ପାର୍ଥିବ ଶରୀର ତାଙ୍କ ଜନ୍ମମାଟିରେ ପହଞ୍ଚିବା ପରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମନଙ୍କ ସହିତ ଶହ ଶହ ଲୋକ ଉପସ୍ଥିତ ରହି ଏହି ବୀର ଯବାନଙ୍କୁ ଅନ୍ତିମ ବିଦାୟ ଦେଇଥିଲେ।

ଶିବଚନ୍ଦ୍ରନଙ୍କ ପତ୍ନୀ ଜଣେ ତାଲିମପ୍ରାପ୍ତ ନର୍ସ। ସେ ଗର୍ଭବତୀ ମଧ୍ୟ ଅଛନ୍ତି। ତାମିଲନାଡୁ ସରକାର ଶିବଚନ୍ଦ୍ରନଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଏହା ସହିତ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ଦେବେ ବୋଲି ଘୋଷଣା କରିଛନ୍ତି ସରକାର। ଶିବଚନ୍ଦ୍ରନ ଗତ ଶନିବାର ଛୁଟି ସରିବା ପରେ ଜମ୍ମୁ-କାଶ୍ମୀର ଯାଇ ଡ୍ୟୁଟିରେ ଯୋଗ ଦେଇଥିଲେ। ଗୁରୁବାର ପୁଲଓ୍ଵମା ଆତଙ୍କବାଦୀ ଆକ୍ରମଣରେ ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ।