କରୋନା : ମାସ୍କ ପିନ୍ଧୁଛନ୍ତି କିନ୍ତୁ ହେଲମେଟ୍ ଭୁଲିଯାଉଛନ୍ତି , ଆଦାୟ ହେଉଛି ମୋଟା ଅଙ୍କର ଜୋରିମାନା

କରୋନା : ମାସ୍କ ପିନ୍ଧୁଛନ୍ତି କିନ୍ତୁ ହେଲମେଟ୍ ଭୁଲିଯାଉଛନ୍ତି , ଆଦାୟ ହେଉଛି ମୋଟା ଅଙ୍କର ଜୋରିମାନା

କନକ ବ୍ୟୁରୋ : ଦୀର୍ଘ ଦିନ ପରେ କୋହଳ ହୋଇଛି କଟକଣା। ଗାଡ଼ି ପାଇଁ ପାସ୍‌ ଦରକାର ହେଉନି କି ଦିନ ଗୋଟାଏ ପରେ ଆଉ ପୁଲିସ୍‌ ଗୋଡ଼ାଉନି। ଏଥର ଆନନ୍ଦରେ ବୁଲି ହେଉଛି ସହର। ପରିବା ପାଇଁ ଗାଡ଼ି ନେଇ ଯାଇ ହେଉଛି, ଜଗିବାକୁ କେହି ନାହିଁ। ଏଣୁ ଲୋକ ବିନ୍ଦାସ୍‌ ବୁଲୁଛନ୍ତି। ମାସ୍କ ଜରିମାନା ୫ଗୁଣ ବଢ଼ି ଯାଇଥିବାରୁ ଘରୁ ବାହାରୁ ବାହାରୁ ଲୋକେ ପିନ୍ଧି ପକାଉଛନ୍ତି, କିନ୍ତୁ ହେଲ୍‌ମେଟ୍‌ ପିନ୍ଧିବା ଅନେକେ ଭୁଲି ଗଲେଣି। କୋଭିଡ୍‌ କଟକଣାକୁ କଡ଼ାକଡ଼ି କରିବା ପାଇଁ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ଚାଲିଥିବା ଏନ୍‌ଫୋର୍ସମେଣ୍ଟରେ ଆଦାୟ ହୋଇଥିବା କିଛି ଦିନର ଜରିମାନାକୁ ତର୍ଜମା କଲେ, ଏହା ପ୍ରମାଣିତ ହେଉଛି।

ଗତ ଜୁଲାଇ ୩୦ ତାରିଖରେ ମାସ୍କ ପାଇଁ ୨୩୭ ଜଣଙ୍କ ଚାଲାଣ କଟାଯାଇଥିବା ବେଳେ ୪୫୭ ଜଣ ହେଲ୍‌ମେଟ୍‌ ନ ପିନ୍ଧି ଜରିମାନା ଗଣିଛନ୍ତି। ଅଗଷ୍ଟ ଏକ ତାରିଖ ଦିନ ୧୩୫ଜଣ ମାସ୍କ ନ ପିନ୍ଧି ଜରିମାନା ଦେଇଥିବା ବେଳେ ୪୦୭ଜଣଙ୍କଠାରୁ ହେଲ୍‌ମେଟ୍‌ ନ ପିନ୍ଧିବା କାରଣରୁ ଜରିମାନା ଆଦାୟ ହୋଇଛି। ସେହିଭଳି ୨ ତାରିଖ ଦିନ ୧୧୬ଜଣ ମାସ୍କ ନ ପିନ୍ଧି ତଣ୍ଡ ଗଣିଥିବା ବେଳେ ହେଲ୍‌ମେଟ୍‌ ପିନ୍ଧି ନ ଥିବାରୁ ୩୯୯ ଜଣଙ୍କଠାରୁ ଜରିମାନା ଆଦାୟ କରାଯାଇଛି।

ଗାଡ଼ିର କାଗଜପତ୍ରର ନବୀକରଣ ଅବଧି ସରକାର ସେପ୍ଟେମ୍ବର ପର୍ଯ୍ୟନ୍ତ ବଢ଼ାଇ ଦେଇଥିବା ବେଳେ ଚାଳକମାନେ ଏହି ହେଲ୍‌ମେଟ୍‌, ରଙ୍ଗରୁଟ୍‌ ଚାଳନା, ବାଇକ୍‌ରେ ତିନିଜଣ ବସିବା ପ୍ରଭୃତି ନିୟମ ପାସୋରି ପକାଇଛନ୍ତି। ଏଭଳି ଉଲ୍ଲଂଘନ ପ୍ରତ୍ୟେକ ଦିନ ପରିଲକ୍ଷିତ ହେବା ପରେ ହେଲ୍‌ମେଟ୍‌ ନ ପିନ୍ଧିବା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କମିସନରେଟ୍‌ ପୁଲିସ ଚିନ୍ତା କରିଥିଲା। ଏଣୁ ବିଭିନ୍ନ ଛକରେ ଏହି ହେଲ୍‌ମେଟ୍‌ ପାଇଁ ଏନ୍‌ଫୋର୍ସମେଣ୍ଟ ଆରମ୍ଭ ହୋଇଥିଲା। ଅନେକଙ୍କୁ ସିସିଟିଭି କ୍ୟାମେରା ଜରିଆରେ ଚିହ୍ନଟ କରାଯାଇ ଜରିମାନା ଆଦାୟ କରାଯାଇଥିଲା। ତେବେ ପ୍ରତ୍ୟେକ ଦିନ ଅନେକ ଅମାନିଆ ପୁଲିସ ସହ ଯୁକ୍ତିତର୍କ କରୁଥିବା ପରିଲକ୍ଷିତ ହେଉଛି। କୋଭିଡ୍‌ କଟକଣା ବେଳେ ଏଭଳି ହେଲ୍‌ମେଟ୍‌ ଯାଞ୍ଚ କାହିଁକି କରୁଛ ବୋଲି ଧରାପଡ଼ିବା ପରେ ଅନେକ ପଶ୍ନ କରୁଛନ୍ତି। ଯେଉଁମାନେ ଜରିମାନା ଦେବାକୁ ଚାହୁନାହାନ୍ତି, ସେମାନଙ୍କ ଫଟୋ ଉଠାଇବା ସହ ଗାଡ଼ି ନମ୍ବର ଜରିଆରେ ମିଳୁଥିବା ଠିକଣାକୁ ଇ-ଚାଲାଣ ଯାଉଥିବା ପୁଲିସ କହିଛି।

ତେବେ କେବଳ ମାସ୍କ କିମ୍ବା ହେଲ୍‌ମେଟ୍‌ ନୁହେଁ, ସାମାଜିକ ଦୂରତା ନିୟମକୁ ଉଲ୍ଲଙ୍ଘନ କରିବା ମଧ୍ୟ ପଛରେ ନାହିଁ। ଜୁଲାଇ ୩୦ ତାରିଖରେ ୧୭୬୦ଜଣଙ୍କଠାରୁ ସାମାଜିକ ଦୂରତା ନିୟମ ଉଲ୍ଲଂଘନ ବାବଦରେ ଜରିମାନା ଆଦାୟ ହୋଇଥିବା ବେଳେ ୧ ତାରିଖ ଦିନ ୯୨୭, ୨ ତାରିଖ ଦିନ ୮୬୫, ୩ ତାରିଖ ଦିନ ୬୦୭ ଓ ୪ ତାରିଖ ସନ୍ଧ୍ୟା ଯାଏ ୫୮୦ ଜଣଙ୍କ ଠାରୁ ଜରିମାନା ଆଦାୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe