କନକ ବ୍ୟୁରୋ: ମାଡୁଛି ମହାମାରୀ, ପିନ୍ଧୁନ୍ତୁ ମାସ୍କ । ବିନା ମାସ୍କରେ ହେବନି ମହାମାରୀ ଉପରେ ବିଜୟ । ବିପଦ ଆସୁଛି, ମାସ୍କକୁ ମହାସ୍ତ୍ର କରନ୍ତୁ । କିଛି ଏମିତି ମନ୍ତ୍ରକୁ ନିଜ ଅନ୍ଦାଜରେ ରାଜ୍ୟବାସୀଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଆଖି ଆଗରେ ରଖି ରାଜ୍ୟବାସୀଙ୍କୁ ସମ୍ଭୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Advertisment

ମାହାମାରୀ ସହ ଲଢେଇ ପାଇଁ ମାସ୍କ ହିଁ ଏକମାତ୍ର ଅସ୍ତ୍ର ବୋଲି ନବୀନ ମନ୍ତ୍ର ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ମାସ୍କ ହିଁ ଏବେ ଏକମାତ୍ର ସୁରକ୍ଷା କବଚ । ଯେଉଁମାନେ ଟୀକା ନେଇ ନାହାନ୍ତି କିମ୍ବା ନେଇଛନ୍ତି ସେମାନେ ମାସ୍କ ପିନ୍ଧୁନ୍ତୁ । ରୋଜଗାର ବଞ୍ଚାଇବାକୁ, ଜୀବନ ଜୀବୀକା ବଞ୍ଚାଇବାକୁ ମାସ୍କ ପିନ୍ଧିବାକୁ ପଡିବ । ତେଣୁ ଆଜି ଠାରୁ ୧୪ ଦିନ ମାସ୍କ ଅଭିଯାନ ଆରମ୍ଭ କରିବା । ସଙ୍କଳ୍ପ ନେବା, ମାସ୍କ ପିନ୍ଧିବା, ବେକରେ ମାସ୍କକୁ କେବେ ବି ଝୁଲାଇବା ନାହିଁ । ମାସ୍କକୁ ସାଥୀ କରିବା, ବିନା ମାସ୍କରେ କେବେ ବି ଘରୁ ବାହାରିବା ନାହିଁ ।

ସେପଟେ ମହାମାରୀ ରୋକିବାକୁ ମାସ୍କ ସହ ମାଆମାନଙ୍କୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ରୋକିବାରେ ମାଆମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମାଆ ମାନେ ସତର୍କ ହେଲେ କରୋନା କେବେ ବି ଘରକୁ ପଶି ପାରିବନି । ସରକାର ବାହାର ଜଗୁଛନ୍ତି, ମାଆମାନେ ଘରେ ଜଗନ୍ତୁ ।

ତେବେ ଅମାନିଆଙ୍କ ପାଇଁ କଠୋର ହୋଇଛନ୍ତି ସରକାର । କିଛି ଲୋକଙ୍କ ଅବହେଳା ପାଇଁ ଲକଡାଉନ ପରିସ୍ଥିତିର ସମ୍ମୁଖୀନ କରିବାକୁ ପଡିବ । ମାସ୍କ ନପିନ୍ଧି ବାହାରୁକୁ ଆସୁଥିବା ଲୋକଙ୍କ ଠାରୁ ଜରିମାନା ଆଦାୟ ହେବ । ଜରିମାନା ଆଦାୟ ପାଇଁ ପୋଲିସ, ପ୍ରଶାସନକୁ ମୁଖ୍ୟମନନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମାସ୍କ ନପିନ୍ଧିଲେ ୨ ଗୁଣା ଜରିମାନା ଲାଗିବ ବୋଲି ଅମାନିଆଙ୍କୁ ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।