ଚୀନ ସୀମାରେ ଉତେଜନା ଭିତରେ ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ସଜାଗ ଭାରତ । ୧୫ଦିନ ପାଇଁ ଯୁଦ୍ଧକାଳିନ ଅସ୍ତ୍ରଶସ୍ତ୍ର ମହଜୁଦ ରଖିବା ପାଇଁ ସେନାକୁ କେନ୍ଦ୍ରର ଅନୁମତି

177

କନକ ବ୍ୟୁରୋ : ଲଦାଖ ସୀମାରେ ଚୀନ୍ ସହ ଉତେଜନା ଜାରି ରହିଥିବା ବେଳେ ଏକ ବଡ଼ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ୧୫ ଦିନର ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ମହଜୁଦ ରଖିବାକୁ ସେନାକୁ ଗ୍ରୀନ୍ ସିଗନାଲ ଦେଇଛନ୍ତି ସରକାର । ପୂର୍ବରୁ ୧୦ ଦିନ ପାଇଁ ଅସ୍ତ୍ରଶସ୍ତ୍ର ମହଜୁଦ ରହୁଥିଲା । ହେଲେ ଚୀନ୍ ସହ ଉତେଜନା, ଏପଟେ ପାକିସ୍ତାନର ଶତ୍ରୁ ମନୋଭାବକୁ ଦେଖି ଏହି ନିଷ୍ପତି ନିଆଯାଇଛି ।

ଏବେ ଯୁଦ୍ଧ ପରିସ୍ଥିତିରେ ୧୫ ଦିନ ଲଢ଼ିବା ଭଳି ଅସ୍ତ୍ର ଗଚ୍ଛିତ ରଖାଯିବ । ତେବେ ଏହି ଅଧିକ ଅସ୍ତ୍ର ଗଛିତ ରଖିବାକୁ ତିନି ସେନାକୁ ପ୍ରାୟ ଅଧିକ ୫୦ ହଜାର କୋଟି ଖର୍ଚ୍ଚ କରିବାକୁୁ ହେବ । ବହୁବର୍ଷ ପୂର୍ବରୁ ଯୁଦ୍ଧ ପରିସ୍ଥିତିରେ ୪୦ ଦିନ ପାଇଁ ଅସ୍ତ୍ର ଗଛିତ ରଖିବାକୁ ନିଷ୍ପତି ହୋଇଥିଲା । ହେଲେ ଏସବୁକୁ ମହଜୁଦ ରଖିବା ଏକ କଷ୍ଟକର ବ୍ୟାପାର । ଏହାଛଡ଼ା ସମୟ ସହ ଯୁଦ୍ଧର କୌଶଳ ଓ ଉପକରଣ ବଦଳୁଥିବାରୁ ଏତେ ଦିନ ପାଇଁ ମହଜୁଦ ରଖିବାକୁ ନେଇ ପ୍ରଶ୍ନ ଉଠିଥିଲା ।

ଏହାପରେ ଏହାକୁ ୧୦ ଦିନକୁ କମାଇ ଦିଆଯାଇଥିଲା । ଉରି ଆକ୍ରମଣ ପରେ ଅନୁଭବ କରାଯାଇଥିଲା ଯେ, ପର୍ଯ୍ୟାପ୍ତ ପରିମାଣର ଅସ୍ତ୍ର ଗଛିତ ନାହିଁ । ଏହାକୁ ବଢ଼ାଇବା ପାଇଁ ସେତେବେଳର ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ସେନାକୁ ଅନୁମତି ଦେଇଥିଲେ । ଏହାସହ ୫ ଶହ କୋଟି ପର୍ଯ୍ୟନ୍ତ କିଣିବା ପାଇଁ ତିନି ସେନାକୁ ଜରୁରୀ ଆର୍ଥିକ କ୍ଷମତା ଦିଆଯାଇଥିଲା ।