କାଲିମେଳାରେ ତିଆରି ହେଉଛି ମାରଣାସ୍ତ୍ର । ଘଂଚ ଜଙ୍ଗଲ ଭିତରୁ ବନ୍ଧୁକ ତିଆରି କାରଖାନା ଠାବ କଲା ମାଲକନଗିରି ପୁଲିସ : ବିପୁଳ ପରିମାଣର ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ଜବତ

204

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲା କାଲିମେଳାରେ ତିଆରି ହେଉଛି ମାରଣାସ୍ତ୍ର । ଲାଲଗଡର ଘଂଚ ଜଙ୍ଗଲ ଭିତରେ ମାରଣାସ୍ତ୍ର ତିଆରି କରୁଛନ୍ତି ମାଓବାଦୀ । ବିଏସଏଫ ଓ ଡିଭିଏଫ ଯବାନଙ୍କ ସର୍ଚ ଅପରେସନ ବେଳେ ବନ୍ଧୁକ କାରଖାନା ଠାବ ହେବା ପରେ ଲାଲଗଡରେ ମାଓବାଦୀ ବନ୍ଧୁକ ତିଆରି କରୁଥିବା ଜଣାପଡିଛି । ଗତ ଦୁଇଦିନ ଧରି ଯବାନମାନେ କାଲିମେଳା ଅଂଚଳର କୁରୁବ, ସୁଧାକେଣ୍ଡା, ଏଲକାନୁର ଜଙ୍ଗଲରେ ସର୍ଚ ଅପରେସନ କରିଥିଲେ ।

ସେହି ସମୟରେ ଘଂଚ ଜଙ୍ଗଲ ଭିତରୁ ବିପୁଳ ପରିମାଣର ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଏହାସହ ୯୩ଟି ଡିଟୋନେଟର, ବ୍ୟାପକ ଗୁଳି ଓ ଖୋକା, ଲେଦ ମେସିନ, ଗ୍ୟାସ ସିଲିଣ୍ଡର, ୱଲଡିଂ ମେସିନ, କାର୍ବାଇଟ୍ ଓ ମାଓ ପୁସ୍ତକ ଜବତ କରିଛନ୍ତି ଯବାନମାନେ । ଚାରିପାଖ ସ୍ଥିତି ଓ ଅସ୍ତ୍ର୍ ପ୍ରସ୍ତୁତି ସାମଗ୍ରୀ ମିଳିବା ପରେ ମାଓବଦୀମାନେ ସେଠାରେ ବନ୍ଧୁକ ତିଆରି କରୁଥିବା ନେଇ ଏସପି ସୂଚନା ଦେଇଛନ୍ତି ।