କନକ ବ୍ୟୁରୋ : ସ୍ୱାଭିମାନ ଅଂଚଳରେ ଜମୁଛି ବ୍ୟାପାର । ସାପ୍ତାହିକ ହାଟ ପାଲଟିଛି ବ୍ୟବସାୟର ପେଣ୍ଠ ସ୍ଥଳି । ମାଓବାଦୀଙ୍କ ଆଡ୍ଡସ୍ଥଳୀ ପାଲଟିଥିବା ଏହି ଅଂଚଳରେ ସ୍ୱାଧୀନ ଭାବେ ବଂଚିବା ଭୁଲି ଯାଇଥିଲେ ଲୋକେ । ହେଲେ ଏବେ ଲାଲଗଡରେ ଦେଖିବାକୁ ମିିଳିଛି ପରିବର୍ତନ ଚିତ୍ର । ଜନ୍ତାପାଇ ସାପ୍ତାହିକ ହାଟରେ ଲାଗୁଛି ଖଚାଖଚ ଭିଡ । ଜମୁଛି କିଣାବିକାର ଆସର । କହିବାକୁ ଗଲେ ସ୍ୱାଭିମାନ ଅଂଚଳର ଲୋକଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରୁଛି ଏହି ଜନ୍ତାପାଇ ହାଟ । କିଏ ନିଜ କୃଷି ଉତ୍ପାଦନକୁ ବିକ୍ରି କରିବାକୁ ଆସିଛି ତ ଆଉ କିଏ ଚାଷ କାମ ପାଇଁ ବିହନ, ସାର ଆଦି କିଣି ନେଉଛି । ବିଶେଷ ସ୍ୱାଭିମାନ ଅଂଚଳବାସୀ ଅଧିକ ପରିମାଣ ରେ ବିରି, ମୁଗ, ସୁଆଁ, ମାଣ୍ଡିଆ, କୋଳଥ, ଅଳସି ଆଦି ଚାଷ କରୁ ଥିବାରୁ ଏହି ଜନ୍ତାପାଇ ହାଟ ଏହି ସବୁ ଶଷ୍ୟ କିଣାବିକା ଲାଗି ବେଶ ପ୍ରସିଦ୍ଧ । ଏନେଇ ଲୋକେ ମଧ୍ୟ ଭିଡ ଲଗାଉଛନ୍ତି କିଣାବିକା ପାଇଁ ।

Advertisment

ଗୁରୁପ୍ରିୟା ସେତୁ ନିର୍ମାଣ ପରେ ବଦଳିଯାଇଛି ଏଠାକାର ସମ୍ପୂର୍ଣ୍ଣ ଚିତ୍ର । ପୂର୍ବରୁ ଯାହା କିଛି ଚାଷ ହେଉଥିଲା ଏବେ କିନ୍ତୁ ଚାଷ ବାସ ସାଙ୍ଗକୁ ବିଭିନ୍ନ ପ୍ରକାରର ବ୍ୟବସାୟ କରି ଆର୍ଥିକ ସ୍ଥିତି ସୁଦୃଢ କରିପାରିଛନ୍ତି ଲୋକେ । ଜନ୍ତାପାଇ ଗାଁ ର ଲୋକେ ଭୟ ଓ ଆତଙ୍କ ମଧ୍ୟରେ ଦିନ ବିତାଉଥିଲେ । ହେଲେ ଏବେ ସ୍ୱାଧୀନ ଭାବେ ରହିବା ସହ ଚାଷବାସ କରୁଛନ୍ତି ଓ ଏହି ସାପ୍ତାହିକ ହାଟରେ ନିଜ ନିଜ ବେପାର ଜମାଇ ଦୁଇ ପଇସା ରୋଜଗାର କରିବା ସ୍ୱାବଲମ୍ବୀ ହୋଇପାରଛନ୍ତି ଗାଁର ଲୋକମାନେ ।

କେବଳ କିଣା ବିକା ନୁହଁ, ଆଦିବାସୀ ଇଲାକାର ଏହି ସାପ୍ତାହିକ ହାଟରେ କିଣାବିକା ଜମୁଥିବା ବେଳେ ଏବେ ହାଟ ବନ୍ଧୁ ମିଳନର ମାଧ୍ୟମରେ ପରିଣତ ହୋଇଛି ।