କନକ ବ୍ୟୁରୋ: ଋଷ-ୟୁକ୍ରେନ ଯୁଦ୍ଧକୁ ସମୟ ଯେତିକି ବିତୁଛି, ସ୍ଥିତି ସେତିକି ଅସମ୍ଭାଳ ହେବାରେ ଲାଗିଛି । ଗୋଟିଏ ପଟେ ଋଷ ସେନା ରାଜଧାନୀ କିବ ମୁହାଁ ହୋଇଥିବା ବେଳେ ଅନ୍ୟପଟେ ମୁହଁତୋଡ ଜବାବ ଦେଉଛି ୟୁକ୍ରେନ୍ ସେନା । ଆଉ ଏସବୁ ଭିତରେ ବେଲାଋଷରେ ୟୁକ୍ରେନ-ଋଷ ପ୍ରତିନିଧିଙ୍କ ମଧ୍ୟରେ ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ଆଲୋଚନା ଆରମ୍ଭ ହୋଇଛି । ତେବେ ଏହି ଆଲୋଚନା ପୂର୍ବରୁ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ଋଷ ସେନା ଫେରାଇ ନେଉ ବୋଲି କହିଛନ୍ତି । ଜେଲେନସ୍କି କହିଛନ୍ତି, ଆମେ ସମସ୍ତେ ଯୋଦ୍ଧା, ଲଢେଇ କରିବୁ ଆଉ ଜିତିବୁ ମଧ୍ୟ ।

Advertisment

ଋଷ ସୈନିକ ନିଜର ଜୀବନ ବଞ୍ଚାଇବା ସହ ଏଠାରୁ ଫେରିଯାଆନ୍ତୁ । ଏହି ଆଲୋଚନାରୁ କୌଣସି ସୁଫଳ ମିଳିବ ବୋଲି ଆଶା ନାହିଁ, ତଥାପି ଆଲୋଚନା ମାଧ୍ୟମରେ ଶାନ୍ତି ଫେରାଇ ଆଣିବା ପ୍ରୟାସରୁ ଆମେ ପଛଘୁଞ୍ଚା ଦେବୁ ନାହିଁ ।

ଏହାସହ ଜେଲେନସ୍କି କହିଛନ୍ତି, ଆମ ଭିତରୁ ପ୍ରତ୍ୟେକ ବ୍ୟକ୍ତି ଏ ଦେଶର ରାଷ୍ଟ୍ରପତି । କାରଣ ଦେଶର ସୁରକ୍ଷା ପାଇଁ ଏବେ ଆମେ ଏକାଠି ଆଗକୁ ଆସିଛୁ । ଆମେ ସମସ୍ତେ ଯୋଦ୍ଧା, ଆମେ ଲଢିବା ଆଉ ଜିତିବା ମଧ୍ୟ । ଏହାସହ ଜେଲେନସ୍କି କହିଛନ୍ତି ଆମେ ସେହି କଏଦୀ ମାନଙ୍କୁ ମୁକ୍ତ କରିବୁ ଯେଉଁମାନଙ୍କ ପାଖରେ ସୈନ୍ୟ ଅନୁଭବ ରହିଛି ଏବଂ ଋଷ ବିପକ୍ଷରେ ଲଢିବାକୁ ଚାହୁଁଛନ୍ତି ।

ୟୁକ୍ରେନ୍ ପକ୍ଷରୁ କୁହାଯାଇଛି ଯେ, ଋଷ ତୁରନ୍ତ ନିଜ ସେନା ହଟାଉ । ଋଷ ସହ ଆମ ଆଲୋଚନା କରିବାର କାରଣ ହେଉଛି ଆମେ ଚାହୁଁଛୁ ଯୁଦ୍ଧରେ ପୂର୍ଣ୍ଣଛେଦ ପକାଇ ଋଷ ସୈନିକ ପଛକୁ ଫେରନ୍ତୁ । ୟୁକ୍ରେନ କହିଛି ଯେ ଋଷର ଆକ୍ରମଣ ଯୋଗୁଁ ୩୫୨ ଲୋକ ପ୍ରାଣ ହରାଇଛନ୍ତି । ଯେଉଁଥିରେ ୧୪ ଛୋଟ ପିଲା ମଧ୍ୟ ସାମିଲ ଅଛନ୍ତି ।