ଭାରତ ବିପକ୍ଷରେ ଅନେକ ମ୍ୟାଚ୍ ଜିତିଛୁ, କିନ୍ତୁ ବିଶ୍ୱକପରେ ହାରିଯାଉ । କିନ୍ତୁ ଏଥର ପାକିସ୍ତାନ ଟିମ୍… ।

214

କନକ ବ୍ୟୁରୋ : ଅକ୍ଟୋବର ୨୪ରେ ବିଶ୍ୱ ଦେଖିବ ମହାମୁକାବିଲା । ଟି-୨୦ ବିଶ୍ୱକପରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ । ଆଉ ଏଥିପାଇଁ ଏବେଠୁ କାଉଣ୍ଟଡାଉନ ଆରମ୍ଭ ହୋଇଛି । ମ୍ୟାଚକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ରହିଛି । ଟିକେଟ ଶେଷ ହୋଇଛି, ହୋଟେଲରେ ରହିବାକୁ ରୁମ ମିଳୁନି । ଯାହା ଦର୍ଶାଉଛି ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ କ୍ରିକେଟପ୍ରେମୀଙ୍କ ମଧ୍ୟରେ କେତେ କ୍ରେଜ ରହିଛି । ତେବେ ଏସବୁ ଭିତରେ ଭାରତ-ପାକିସ୍ତାନ ମ୍ୟାଚକୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସୁଛି । କିଏ ଭାରତକୁ ଫେଭରିଟ କହୁଛି ତ ଆଉ କିଏ ପାକିସ୍ତାନର ପଲ୍ଲା ଭାରି ଅଛି ବୋଲି କହୁଛି । କିନ୍ତୁ ଏସବୁ ଭିତରେ ପାକିସ୍ତାନର ପୂର୍ବତନ କ୍ରିକେଟର ୱାସିମ ଆକ୍ରମ ଯେଉଁ ବୟାନ ଦେଇଛନ୍ତି ତାହା ଉଭୟ ଭାରତୀୟ ଓ ପାକିସ୍ତାନ କ୍ରିକେଟପ୍ରେମୀଙ୍କୁ ଖୁସି କରିବ । ୱାସିମ ଆକରମ କହିଛନ୍ତି, ଆମେ ପ୍ରତି ବିଶ୍ୱକପରେ ଭାରତ ଠାରୁ ହାରିଯାଉ ।

ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ୱାସିମ କହିଛନ୍ତି, ବିଶ୍ୱକପରେ ଟିମ୍ ଇଣ୍ଡିଆ ଠାରୁ ଆମେ ଜିତିପାରିନାହୁଁ । କିନ୍ତୁ ଉଭୟ ଟିମ୍ ମଧ୍ୟରେ ଥିବା କ୍ରିକେଟ ଇତିହାସକୁ ଦେଖିଲେ ଉଭୟ ଦିନିକିଆ ଓ ଟେଷ୍ଟରେ ପାକିସ୍ତାନ ଅଧିକ ମ୍ୟାଚ୍ ଜିତିଛି । ପାକିସ୍ତାନ ପକ୍ଷରୁ ମୁଁ ନିଜେ ୪ଟି ବିଶ୍ୱକପରେ ଭାଗ ନେଇଥିଲେ ମଧ୍ୟ ଟିମ୍ ଇଣ୍ଡିଆ ଠାରୁ କେବେ ବି ଜିତିପାରି ନାହୁଁ । କିନ୍ତୁ ଏବେ ଖେଳାଳୀ ପୂର୍ବ ରେକର୍ଡ ଉପରେ ଫୋକସ କରୁନାହାନ୍ତି । ଥରେ ମୈଦାନକୁ ଓହ୍ଲାଇବା ମାତ୍ରେ ମ୍ୟାଚ୍ ଉପରେ ଖେଳାଳୀଙ୍କର ପୂରା ଫୋକସ ରହିଥାଏ ।

ୱାସିମ କହିଛନ୍ତି, ଭାରତ-ପାକିସ୍ତାନ ମଧ୍ୟରେ ସବୁବେଳେ ହାଇଭୋଲଟେଜ ମୁକାବିଲା ଦେଖିବାକୁ ମିଳିଥାଏ । କ୍ରିକେଟରଙ୍କ ଉପରେ ସେମିତିରେ ବି ମ୍ୟାଚକୁ ନେଇ ଚାପ ରହିଥାଏ । କିନ୍ତୁ ମ୍ୟାଚ୍ ଆରମ୍ଭ ହେବା ପରେ ଚାପକୁ କିଭଳି ନିୟନ୍ତ୍ରଣ କରାଯିବ ତାହା ଖେଳାଳୀ ଜାଣିବା ଆବଶ୍ୟକ । ଟି-୨୦ ବିଶ୍ୱକପରେ ଭାଗ ନେଇଥିବା ପାକିସ୍ତାନ ଟିମ୍ ବେଶ ଶକ୍ତିଶାଳୀ । ବାବର ଆଜମ, ମହମ୍ମଦ ରିଜୱାନଙ୍କ ଭଳି ଖେଳାଳୀ ବେଶ ଘାତକ ସାବ୍ୟସ୍ତ ହୋଇପାରନ୍ତି । ଏପରିକି ଆମ ପାଖରେ ଭଲ ବୋଲର ମଧ୍ୟ ରହିଛନ୍ତି । ତେବେ ଯଦି ପୂର୍ବ ରେକର୍ଡକୁ ଦେଖିବା, ଭାରତ-ପାକିସ୍ତାନ ମଧ୍ୟରେ ଏଯାବତ ଟି-୨୦ ବିଶ୍ୱକପରେ ୫ଟି ମୁକାବିଲା ଖେଳାଯାଇଛି । ଆଉ ପ୍ରତି ମ୍ୟାଚରେ ବାଜିମାତ୍ କରିଛି ଟିମ୍ ଇଣ୍ଡିଆ ।