ପ୍ରଦର୍ଶନକାରୀ କୁସ୍ତିଯୋଦ୍ଧାଙ୍କ ହରିଦ୍ୱାର ଅଭିମୁଖେ ଯାତ୍ରା । କହିଲେ, ଗଙ୍ଗାରେ ଭସାଇଦେବୁ ପଦକ

1,731

କନକ ବ୍ୟୁରୋ : କୁସ୍ତିଯୋଦ୍ଧାଙ୍କ ପ୍ରଦର୍ଶନକୁ ନେଇ ସାରା ଦେଶର ରାଜନୀତି ସରଗରମ ହୋଇଛି । ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କ ଉପରେ ପୋଲିସ ଦଙ୍ଗା ଆଧାରରେ ମାମଲା ରୁଜୁ କରିଛି  । ଏବେ ପ୍ରଦର୍ଶନକାରୀ କୁସ୍ତିଯୋଦ୍ଧାମାନେ ଗଙ୍ଗାରେ ସେମାନେ ପାଇଥିବା ମେଡାଲ ବା ପଦକ ଭସାଇ ଦେବାକୁ ବାହାରିଛନ୍ତି ।

ସୂଚନା ଥାଉକି କିଛି ମହିଳା କୁସ୍ତିଯୋଦ୍ଧାଙ୍କ ତରଫରୁ କୁସ୍ତିସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ନାମରେ ଉତ୍ପୀଡନ ଅଭିଯୋଗ ଆଣି ଏପ୍ରିଲ ୨୩ ତାରିଖରୁ ଧାରଣାରେ ବସିଛନ୍ତି । ଏହାରି ମଧ୍ୟ ପ୍ରଦର୍ଶନକାରୀ କୁସ୍ତିଯୋଦ୍ଧାମାନଙ୍କ ସହ ଖାପ୍ ପଞ୍ଚାୟତର ଆହ୍ୱାନରେ ନୂଆ ସଂସଦ ଭବନ ଉଦଘାଟନ ଦିନ ପୋଲିସ ବ୍ୟାରିକେଡ ଭାଙ୍ଗି ଜନ୍ତର-ମନ୍ତରରୁ ନୂଆ ସଂସଦ ଭବନ ପଟେ ଏକ ଶୋଭାଯାତ୍ରା ବାହାର କରିଥିଲେ । ଏଥିରେ ପୋଲିସ ସେମାନଙ୍କ ଅଟକାଇବାକୁ ଚେଷ୍ଟା କରିଥିଲା । ଫଳରେ ପୋଲିସ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ଏହାପରେ ପୋଲିସ ପ୍ରଦର୍ଶନକାରୀଙ୍କୁ ହେପାଜତକୁ ନେଇଥିଲା ।

ସେପଟେ ପୋଲିସ ବ୍ୟାରିକେଡ ଭାଙ୍ଗି ନୂଆ ସଂସଦ ଭବନ ଅଭିମୁଖେ ଯାତ୍ରା କରିବା ଅଭିଯୋଗରେ ପୋଲିସ ଜନ୍ତର- ମନ୍ତର ଠାରେ ଚାଲିଥିବା ପ୍ରଦର୍ଶନ ଉପରେ ରୋକ୍ ଲଗାଇଛି । ପୋଲିସ କହିଛି କି ଏବେ ସେମାନଙ୍କୁ ଅନ୍ୟ କୌଣସି ସ୍ଥାନରେ ପ୍ରର୍ଦର୍ଶନ କରିବାକୁ ଅନୁମତି ଦିଆଯିବ, ହେଲେ ଜନ୍ତର-ମନ୍ତର ଠାରେ ପ୍ରଦର୍ଶନ କରିବାକୁ ସେମାନଙ୍କୁ ଅନୁମତି ମିଳିବ ନାହିଁ ।