ନଗଡ଼ାରେ ନାହିଁ କରୋନା ଭୟ : ସଚେତନତା ଅଭାବରୁ ମାନୁନାହାନ୍ତି ସାମାଜିକ ଦୂରତା, ପିନ୍ଧୁ ନାହାନ୍ତି ମାସ୍କ; ଅଜବ ଯୁକ୍ତି କିଛି କରିବନି କରୋନା, ଅଛନ୍ତି ଠାକୁରାଣୀ

167

କନକ ବ୍ୟୁରୋ : ଆମେ ମାସ୍କ ପିନ୍ଧିବୁନି, ଆମ ପାଇଁ ଆମ ଠାକୁରାଣୀ ଅଛନ୍ତି । ଆମର କିଛି ହବନି । ଏଭଳି କିଛି ଅଜବ ଯୁକ୍ତି ବାଢିଛନ୍ତି ଯାଜପୁରର ଜିଲ୍ଲାର ସେଇ ଚର୍ଚ୍ଚିତ ନଗଡାବାସୀ । ଏକଦା ଅପହଂଚ ଓ ଅପପୃଷ୍ଟିର ଇଲାକା ଭାବେ ପରିଚିତ ଯାଜପୁର ସୁକିନ୍ଦା ବ୍ଲକ ନଗଡାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ନଗଡାକୁ ଯାଇ କରୋନା ସଂପର୍କିତ ତଥ୍ୟ ସଂଗ୍ରହ କରିବା ସମୟରେ ନଗଡ଼ାବାସୀ କନକ ନ୍ୟୁଜକୁ ଏଭଳି ପ୍ରତିକ୍ରିୟା ଦେଇଛନ୍ତି । ଆଉ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଗାଁକୁ ନଯାଇ ରାସ୍ତା ଉପରୁ ସର୍ଭେ ଓ ସଚେତନ କରି ଫେରି ଆସୁଥିବା ଅଭିଯୋଗ ମଧ୍ୟ କରିଛନ୍ତି ।

ସ୍ଥଳଭାଗରୁ ଏଗାର ହଜାର ଫୁଟ ଉପରେ ଥିବା ଅପହଂଚ ଇଲାକା ତଳ ନଗଡାରେ ଏବେ ଗୋଟିଏ ସ୍ଥାନରେ ରୁଣ୍ଡ ହେଉଛନ୍ତି ଏକାଧିକ ଲୋକ ।  କାହାରି ମୁହଁରେ ମାସ୍କ ନାହିଁ କି, ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ନାହିଁ । କାରଣ ଏମାନେ କରୋନା ଏବଂ ଏହାର ଭୟାବହତା ବାବଦରେ ବିଲକୁଲ ଜାଣିନାହାନ୍ତି । କରୋନା ବାବଦରେ ପଚାରିଲେ ସେମାନଙ୍କ ଉତର ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ, ସେମାନେ ପାହାଡ଼ି ଇଲାକାର ଜନଜାତି । ତାଙ୍କ ସୁରକ୍ଷା ପାଇଁ ଠାକୁରାଣୀ ଅଛନ୍ତି । ତେଣୁ କିଛି ହେବ ନାହିଁ । ବର୍ତମାନ ସମୟରେ ସଚେତନତା ଅଭାବ ଯୋଗୁୁଁ ନଗଡାର ଲୋକେ ମହାମାରୀ କରୋନାକୁ ନେଇ ବିଲକୁଲ୍ ସଚେତନ ନଥିବା ଭଳି ମନେ ହେଉଛି ।