ଟୀକା ନେବୁନି, ଚେରମୂଳୀ ଖାଇବୁ । କରୋନା କାଳରେ ଟୀକା ନେବାକୁ ଅରାଜି ଗାଁ ଲୋକେ । ଚେରମୂଳୀ ଖାଇ ଭୂତାଣୁକୁ ଚେକ ଦେବାକୁ ଗ୍ରାମବାସୀଙ୍କ ଜିଦ୍ ।

200

କନକ ବ୍ୟୁରୋ: କରୋନା ମହାମାରୀରୁ ବଞ୍ଚିବାକୁ ଏବେ ଟିକା ହିଁ ଏକମାତ୍ର ମାଧ୍ୟମ । ତେଣୁ ଦେଶ ଓ ରାଜ୍ୟରେ ଟିକାକରଣକୁ ଜୋରଦାର କରାଯାଉଛି । ହେଲେ ଏହାରି ମଧ୍ୟରେ ଓଡ଼ିଶାର ଏମିତି ଏକ ଗାଁ ରହିଛି ଯେଉଁଠାରେ କି ଲୋକମାନେ ଟିକା ନେବାକୁ ଅମଙ୍ଗ ହେଉଥିବା ଖବର ଆସିଛି । ଗଞ୍ଜାମର ପୋଲସରା ଅଞ୍ଚଳରେ ଟିକା ନେବାକୁ ପୂରାପୁରି ନାରାଜ । ଜଣେ କି ଦୁଇ ଜଣ ନୁହେଁ ବରଂ ପୂରା ଗାଁ ଟିକା ନେବାକୁ ମନା କରିଦେଇଛି । ଯାହାକୁ ନେଇ ଏବେ ଚିନ୍ତାରେ ପଡିଛି ପ୍ରଶାସନ ।

ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଗୋଲିଆ ପଞ୍ଚାୟତ ର ମରେଇପଲ୍ଲି, ଡାହାଣିପଲ୍ଲି ଗାଁ । ଗତ ୯ ତାରିଖରେ ଗୋଲିଆ, ଚିରିକିପଡା, ମରେଇପଲ୍ଲି, ଡାହାଣିପଲ୍ଲିରେ ପ୍ରଥମ ଡୋଜ ଟିକା କରଣ ପାଇଁ ପହଞ୍ଚି ଥିଲା ପ୍ରଶାସନ ।  ହେଲେ ମରେଇପଲ୍ଲି, ଡାହାଣିପଲ୍ଲିର କୌଣସି ଲୋକ ଟିକା ନେବାକୁ ଆସିନଥିଲେ । ପରେ ଏଏନମ ଓ ଆଶା ଲୋକଙ୍କୁ ବୁଝାସୁଝା କରିଥିଲେ । ହେଲେ ଗାଁ ଲୋକେ ତାଙ୍କୁ ଓଲଟା ପ୍ରଶ୍ନ କରିଥିଲେ ‘ଆମେ ଟୀକା ନେଇ ମରିଗଲେ ତୁମେ ଦାୟୀ ହେବ କି?’ ଲୋକଙ୍କ ଏଭଳି ପ୍ରଶ୍ନ ଶୁଣି ଶେଷରେ ଟିକା ନଦେଇ ସ୍ୱାସ୍ଥ୍ୟକର୍ମୀମାନେ ଫେରିଆସି ଥିଲେ ।

ଏହି ଗାଁରେ ଟିକାକୁ ନେଇ ଏକ ଗୁଜବ ସୃଷ୍ଟି ହୋଇଛି । ଏମାନେ ଭାବୁଛନ୍ତି ଟିକାନେଲେ ପାଶ୍ୱର୍ପ୍ରତିକ୍ରିୟା ଦେଖାଯାଉଛି । ତେଣୁ ଏଠାକାର ଲୋକମାନେ ଟିକା ନେଉନଥିବା ଜଣାପଡିଛି । ଏହାସହ ଜଙ୍ଗଲର ଚେରମୂଳି ଖାଇ ଆମେ ସୁସ୍ଥ ଅଛୁ ହେଲେ ଟିକା ନେବୁନି ବୋଲି କହିଛନ୍ତି ଗ୍ରାମବାସୀ । ସ୍ୱାସ୍ଥ୍ୟକ୍ରର୍ମୀ ମାନେ ଯେତେ ବୁଝାସୁଝା କଲେ ମଧ୍ୟ ଗ୍ରାମବାସୀ ଟିକା ନେଇନଥିଲେ ।

ସରକାର ରାଜ୍ୟରେ ବୃହତ ଟିକାକରଣ ପାଇଁ ବ୍ୟବସ୍ଥା କରୁଥିବା ବେଳେ ଆଦିବାସୀ ଅଞ୍ଚଳର ଲୋକମାନେ କିନ୍ତୁ ଟିକା ନେବାକୁ ମନା କରୁଛନ୍ତି । ତେବେ ଏଥିରୁ ଜଣାପଡୁଛି ଏଠାକାର ଲୋକମାନେ ଟିକାକୁ ନେଇ ସଚେତନ ନାହାନ୍ତି । ସରକାର କେବଳ ସହରାଞ୍ଚଳକୁ ଟିକାକରଣରେ ଗୁରୁତ୍ୱ ଦେଉଥିବା ବେଳେ ଏହି ଦୁର୍ଗମ ଅଞ୍ଚଳ ଲୋକ କିନ୍ତୁ ଟିକାକରଣଠୁ ଦୂରେଇ ଯାଉଛନ୍ତି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି କାହିଁକି ଆଦିବାସୀ ଲୋକମାନେ ଟିକା ନେବାକୁ ମନା କରୁଛନ୍ତି ? ଟିକା ପ୍ରତି ସେମାନେ ଯଦି ସଚେତନ ନାହାନ୍ତି ତେବେ ପ୍ରଶାସନ କାହିଁକି ପୂର୍ବରୁ ସେମାନଙ୍କୁ ସଚେତନ କରାଉନଥିଲା । ସହରାଞ୍ଚଳକୁ ଗୁରୁତ୍ୱ ଦେଇ ପ୍ରଶାସନ କେଉଁଠି ନା କେଉଁଠି ଦୁର୍ଗମ ଅଞ୍ଚଳକୁ ଭୁଲି ଯାଉଥିବା ଜଣାପଡୁଛି ।