କାବୁଲ ବିମାନବନ୍ଦରରେ ବିସ୍ଫୋରଣ ଘଟଣା । ଆମେରିକା ରାଷ୍ଟ୍ରପତି ବାଇଡେନ୍ କହିଲେ, ଖୋଜି ଖୋଜି ଆକ୍ରମଣକାରୀଙ୍କୁ ମାରିବ ଆମେରିକା ।

ସେପଟେ ବିସ୍ଫୋରଣର ମାତ୍ର ୧୨ଘଣ୍ଟା ପରେ ପୁଣି ବିମାନବନ୍ଦରରେ ଜମିଲା ପ୍ରବଳ ଭିଡ

209

କନକ ବ୍ୟୁରୋ: ଆମେରିକା, ବ୍ରିଟେନ ପରି ଦେଶର ଗୁଇନ୍ଦା ବିଭାଗ ଯାହା ଅନୁମାନ କରିଥିଲେ ଶେଷରେ ତାହା ହିଁ ଘଟିଲା । ଗୋଟିଏ ଘଣ୍ଟା ଭିତରେ ଏକାଧିକ ବିସ୍ଫୋରଣ ସହ ଥରି ଉଠିଲା କାବୁଲ ବିମାନ ବନ୍ଦର । ଯେଉଁଥିରେ ଏବେ ସୁଦ୍ଧା ୯୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ତା ସହ ଦେଢ ଶହରୁ ଅଧିକ ଲୋକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । କାବୁଲ ବିମାନବନ୍ଦରର ଏହି ବିସ୍ଫୋରଣ ନେଇ ନିଜକୁ ଦାୟୀ କରିଛି ଆତଙ୍କବାଦୀ ସଂଗଠନ ଆଇଏସଆଇଏସ । ସେପଟେ ଆତଙ୍କବାଦୀ ଆକ୍ରମଣ ପରେ ଚରମ ଚେତାବନୀ ଶୁଣାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।

କାବୁଲ ଉପରେ ଆତଙ୍କବାଦୀ ଆକ୍ରମଣ ହେବା ନେଇ ଯାହା ଆମେରିକା ଆଶଙ୍କା କରୁଥିଲା, ବ୍ରିଟେନ୍ ସୂଚନା ଦେଇଥିଲା, ଅଷ୍ଟ୍ରେଲିଆ ସତର୍କ କରିଥିଲା ଠିକ୍ ସେଇଆ ହେଲା । ଯାହାକୁ ନିଷ୍ଫଳ କରିବା ପାଇଁ ଦୁନିଆର ବଡ ବଡ ଶକ୍ତି ଲାଗିଥିଲେ,  ସେଥିରେ ଏବେ ସେମାନେ ବିଫଳ ହୋଇଛନ୍ତି । ଆଉ ଦୁର୍ଦ୍ଦଶ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ଖୁରାସାନ କିଛି ସମୟ ବ୍ୟବଧାନରେ ଦୁଇ ଦୁଇଟି ବିସ୍ଫୋରଣ ଘଟାଇ କାବୁଲରେ ରକ୍ତର ହୋଲି ଖେଳିଛି । ବିସ୍ଫୋରଣରେ ଶତାଧିକ ଲୋକଙ୍କର ଜୀବନ ଯାଇଛି । ବହୁ ସଂଖ୍ୟାରେ ଲୋକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୧୩ ଜଣ ଆମେରିକୀୟ ସୈନ୍ୟ ଥିବାବେଳେ ୨୮ ତାଲିବାନୀ ବି ରହିଛନ୍ତି ।

ଗୁରୁବାର ରାତି ୭ଟା ୧୫ ରେ ବିମାନବନ୍ଦରର ପ୍ରଥମ ଫାଟକରେ ବିସ୍ଫୋରଣ ହୋଇଥିଲା । ଏହାର କିଛି ସମୟ ପରେ ଅର୍ଥାତ ରାତି ପ୍ରାୟ ୮ଟା ବେଳକୁ ବିମାନବନ୍ଦର ସଂଲଗ୍ନ ହୋଟେଲ ନିକଟରେ ଆଉ ଏକ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଥରି ଉଠିଥିଲା ପୁରା ଅଞ୍ଚଳ । ଯେଉଁ ସମୟରେ କାବୁଲ ବିମାନ ବନ୍ଦରରେ ବିସ୍ଫୋରଣ ଘଟିଥିଲା ସେତେବେଳେ ବିମାନବନ୍ଦର ଓ ତାର ନିକଟବର୍ତ୍ତୀ ଅଞ୍ଚଳରେ ଶହ ଶହ ଲୋକଙ୍କ ଭିଡ ରହିଥିଲା । ବିମାନବନ୍ଦର ଭିତରେ ବିଭିନ୍ନ ଦେଶ ପକ୍ଷରୁ ଏୟାରଲିଫ୍ଟ କରାଯାଉଥିଲା । ଏୟାରପୋର୍ଟ ବାହାର ଗେଟ୍ ନିକଟରେ ଲୋକଙ୍କ କାଗଜପତ୍ର ଯାଞ୍ଚ ସମୟରେ ଘଟିଥିଲା ଏହି ବିସ୍ଫୋରଣ । ବିସ୍ଫୋରଣ ପରେ ଲୋକ ଭୟଭୀତ ହୋଇ ଏଣେତେଣ ଦୌଡିବାକୁ ଲାଗିଥିଲେ । ଏତିକିବେଳେ ଅମଣିଷ ଆତଙ୍କବାଦୀ ଅସହାୟ ହୋଇ ଦୌଡୁଥିବା ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ ।

ଆତଙ୍କବାଦୀ ଆକ୍ରମଣ ପରେ ଆମେରିକାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଆତଙ୍କବାଦୀଙ୍କୁ ଚରମ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ସେ କହିଛନ୍ତି , କାବୁଲ ବିମାନବନ୍ଦର ବିସ୍ଫୋରଣ ପଛରେ ଯିଏ ବି ଥାଉ ତାକୁ ଛଡାଯିବ ନାହିଁ । ଖୋଜି ଖୋଜି ମାରିବ ଆମେରିକା ସେନା । ସେମାନଙ୍କୁ ଆମେ ନିପାତ କରିବୁ । ଗୁରୁବାର କାବୁଲ ବିମାନ ବନ୍ଦରରେ ବିସ୍ଫୋରଣ ହୋଇଥିଲା, ହେଲେ ଆଜି ସକାଳୁ ଏୟାରପୋର୍ଟରେ ପୁଣି ହଜାର ହଜାର ଲୋକ ଏକାଠି ହୋଇଛନ୍ତି । ବିସ୍ଫୋରଣ ପରେ ମଧ୍ୟ ଲୋକଙ୍କ ମଧ୍ୟରେ ଭୟ ନାହିଁ । ଆଫଗାନିସ୍ତାନ ଛାଡି ପଳାଇଯିବା ପାଇଁ ସମସ୍ତେ ବ୍ୟଗ୍ର । ସେଠାରେ ଭିଡ ଜମାଇବାର ଆଉ ଏକ ବଡ଼ କାରଣ ହେଉଛି ଯେ, ଆଜି ବିଭିନ୍ନ ଦେଶ ସେମାନଙ୍କ ବିମାନ କାବୁଲ ଏୟାରପୋର୍ଟ ଛାଡିବା ଆରମ୍ଭ କରିଥିଲା । ତେଣୁ ସେମାନଙ୍କୁ କାଳେ ସୁଯୋଗ ମିଳିଯିବ, ସେଥିପାଇଁ ବିମାନ ବନ୍ଦର ବାହାରେ ଭିଡ ଜମାଇଛନ୍ତି ।