କନକ ବ୍ୟୁରୋ : ଋଷ-ୟୁକ୍ରେନର ଯୁଦ୍ଧ ଭିତରେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କ ବଡ ବୟାନ । ୟୁକ୍ରେନ ପଛକୁ ହଟିବ ନାହିଁ, ଋଷ ଆଗରେ ମୁଣ୍ଡ ନୁଆଇଁବ ନାହିଁ । ଆଉ ଏଭଳି କହି ୟୁକେନ୍ ଶେଷ ପର୍ଯ୍ୟନ୍ତ ଲଢେଇ କରିବ ବୋଲି ବାର୍ତ୍ତା ଦେଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି । ଯାହା ଏହି ସଙ୍କଟକୁ ଆହୁରି ଗମ୍ଭୀର କରିଛି । ସେହିଭଳି ୟୁକ୍ରେନର ରକ୍ଷାମନ୍ତ୍ରୀ ଦେଶବାସୀଙ୍କୁ ଅସ୍ତ୍ର ଉଠାଇବାକୁ ଆହ୍ୱାନ ଦେଇଛନ୍ତି । ଯିଏ ଅସ୍ତ୍ର ଉଠାଇ ପାରିବ ସେମାନେ ସେନାରେ ସାମିଲ ହୁଅନ୍ତୁ ବୋଲି କହିଛନ୍ତି ରକ୍ଷାମନ୍ତ୍ରୀ । ଏହାବାଦ୍ ଋଷ ସହ ରାଜନୈତିକ ସମ୍ପର୍କ ଶେଷ କରିଛୁ ଓ ଯେକୌଣସି ପରିସ୍ଥିତିର ସାମ୍ନାକ କରିବାକୁ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ୟୁକ୍ରେନ୍ ରକ୍ଷାମନ୍ତ୍ରୀ ।

Advertisment

ଏଭଳି ସଙ୍କଟଜନକ ସ୍ଥିତିରେ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ପରାମର୍ଶଦାତା କହିଛନ୍ତି ଯେ, ଋଷ ସହ ଯୁଦ୍ଧରେ ଆମର ୪୦ ଜଣ ସୈନିକଙ୍କର ମୃତ୍ୟୁ ହୋଇଛି । ସେହିଭଳି ଅନେକ ଯବାନ ଗୁରୁତର ଆହତ ହୋଇଛନ୍ତି । ଏନେଇ ଗଣମାଧ୍ୟମ ସଂସ୍ଥା ରୟଟର୍ସରେ ଖବର ପ୍ରକାଶ ପାଇଛି । ଏହାଛଡା ଋଷର ୫ଟି ଲଢୁଆ ବିମାନ, ୨ଟି ହେଲିକପ୍ଟର, ୨ଟି ଟ୍ରକ ଓ ଅସ୍ତ୍ରଶସ୍ତ୍ର ବୋହି ଆଣୁଥିବା ଅନେକ ଗାଡିକୁ ମଧ୍ୟ ନଷ୍ଟ କରିଥିବା ୟୁକ୍ରେନ୍ ପକ୍ଷରୁ କୁହାଯାଇଛି ।

ଏହାପୂର୍ବରୁ ୟୁକ୍ରେନ ବିରୋଧରେ ଋଷ ଯୁଦ୍ଧ ଘୋଷଣା କରିବା ସହ ବିଭିନ୍ନ ସ୍ଥାନରେ ଆକ୍ରମଣ କରିଥିଲା । ଏପରିକି ୟୁକ୍ରେନର ରାଜଧାନୀରେ ମିସାଇଲ ମାଡ କରିବା ସହ ବିଭିନ୍ନ ସାମରିକ ଘାଟିକୁ କବଜା କରିଥିଲା । ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ସେନାକୁ ଅସ୍ତ୍ର ଛାଡି ଆତ୍ମସର୍ମପଣ କରିବାକୁ କହିଥିଲେ । ଏପରିକି ୟୁକ୍ରେନ ମାମଲାରେ ଅନ୍ୟ କୌଣସି ଦେଶ ମୁଣ୍ଡ ଖେଳାଇଲେ ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ମଧ୍ୟ ଦେଇଥିଲେ । ଏହାସତ୍ତେ୍ୱ ମଧ୍ୟ ନାଟୋ ଗ୍ରୁପରେ ଥିବା ଦେଶ ଗୁଡିକ ଋଷ ସହ ଲଢେଇ କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି । କିନ୍ତୁ ଏଯାବତ୍ କୌଣସି ସ୍ପଷ୍ଟ ଚିତ୍ର ମିଳିପାରିନାହିଁ ।

ଅନ୍ୟପଟେ ୟୁକ୍ରେନ ମାମଲାରେ ଆମେରିକାରେ ଜରୁରୀକାଳୀନ ବୈଠକ ଡାକିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ । ୱାଂସିଟନରେ ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଉପରାଷ୍ଟ୍ରପତି, ବୈଦଶିକ ମନ୍ତ୍ରୀ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକରେ ସାମିଲ ହୋଇଛନ୍ତି । ୟୁକେନ୍ ଉପରେ ଆକ୍ରମଣକୁ ନେଇ ଚୁପ୍ ବସିବୁ ନାହିଁ ବୋଲି କହିଛନ୍ତି ଜୋ ବାଇଡେନ ।