ଉଦ୍ଧାର ହେଲା ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନର ବ୍ଲାକବକ୍ସ: ପ୍ରତିକୂଳ ପାଗ ଯୋଗୁଁ ଅଘଟଣ ଘଟିଥିବା କହିଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ; ପୂର୍ବରୁ ୨୭ ଥର କରିଥିଲା ସଫଳ ଅବତରଣ

429

କନକ ବ୍ୟୁରୋ: କେରଳ କଝିକୋଡ୍ ଦୁର୍ଘଟଣା ଗସ୍ତର ବିମାନ ବ୍ଲାକବକ୍ସ ଉଦ୍ଧାର ହୋଇଛି । ଏହି ବିମାନଟି ଚଳିତ ବର୍ଷ ୨୭ ଥର ଏହି ଏୟାରପୋର୍ଟରେ ସଫଳତାର ସହ ଅବତରଣ କରିଥିଲା । କିନ୍ତୁ ଗତକାଲି ଅବତରଣ ସମୟରେ ପ୍ରତିକୂଳ ପାଗ ଯୋଗୁଁ ଦୁର୍ଘଟଣାର ଶିକାର ହୋଇଥିବା କହିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ । ତେବେ ଦୁର୍ଘଟଣାର କାରଣ କରଣ ବ୍ଲାକବକ୍ସର ଅଧିକ ଅନୁଧ୍ୟାନ କରାଗଲେ ଜଣାପଡିବ ବୋଲି କହିଛନ୍ତି ମନ୍ତ୍ରୀ ହରଦୀପ୍ ସିଂ ପୁରୀ ।

ବିମାନ ଦୁର୍ଘଟଣାର ତଦନ୍ତ ଚାଲିଛି । କିପରି ସ୍ଥିତିରେ ଘଟିଲା ଦୁର୍ଘଟଣା ସେନେଇ ତଦନ୍ତ ଆରମ୍ଭ ହୋଇଛି । ଗତକାଲି ଦୁର୍ଘଟଣା ପରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲା ଡିଜିସିଏ । ଆଜି ସ୍ଥିତି ଅନୁଧ୍ୟାନ ପାଇଁ ଦୁର୍ଘଟଣା ସ୍ଥଳରେ ପହଂଚିଛନ୍ତି ବେସାମିରକ ବିମାନ ଚଳାଚଳ ମନ୍ତ୍ରୀ , କେରଳ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଘଟଣା ସ୍ଥଳକୁ ଯାଇ ପରିଦର୍ଶନ କରିବା କାର୍ଯ୍ୟସୂଚୀ ରହିଛି । ଏହା ପରେ ଦିଲ୍ଲୀରେ ହେବ ମାନସମଂଥନ । ୯ ବର୍ଷ ପୂର୍ବରୁ କେରଳର କୋଝିକୋଡ୍ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ଅବତରଣକୁ ବିପଦ ପୂର୍ଣ୍ଣ ବୋଲି ରିପୋର୍ଟ ଦେଇଥିଲେ ବିଶେଷଜ୍ଞ । ଏହାକୁ ଅଣଦେଖା କରାଯାଇଥିଲା ।

ଶେଷରେ ଘଟିଲା ଏପରି ଏକ ଦୁର୍ଘଟଣା । ଯେଉଁଥିରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ହୋଇଛି । ଦୁଇ ଜଣ ପାଇଲଟଙ୍କ ସମେତ ଆଉ ୧୬ ଯାତ୍ରୀ ପ୍ରାଣ ହରାଇଛନ୍ତି । ୧୨୩ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଦୁର୍ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି । କେନ୍ଦ୍ରପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଗୃହ ମନ୍ତ୍ରୀ ଅମିତ ଶାହା ପ୍ରମୁଖ ଟ୍ୱିଟ୍ କରି ଗଭୀର ଦୁଃଖପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ୱିଟ୍ କରି ଦୁଃଖ ପ୍ରକାଶ ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।