ସୈତାନ ପାକିସ୍ତାନ ମୁହଁରେ ଶାନ୍ତିର କଥା । ଭାରତ ସହ ଭଲ ସମ୍ପର୍କ ନେଇ ଶାନ୍ତିର ପ୍ରବଚନ ଦେଲା ପାକିସ୍ତାନ ।

331

କନକ ବ୍ୟୁରୋ: ସୈତାନ ମୁହଁରେ ଶାନ୍ତିର କଥା । ଶାନ୍ତିର କଥା କହିଲା ପାକିସ୍ତାନ । ଭାରତ ସହ ଭଲ ସମ୍ପର୍କ ଚାହେଁ ପାକିସ୍ତାନ । ଦାରିଦ୍ୟ ଓ ଅଶିକ୍ଷାକୁ ହଟାଇବାକୁ ଉଭୟ ଭାରତ ଓ ପାକିସ୍ତାନ କାମ କରିବା ଉଚିତ୍ । ଭାରତ ଓ ପାକିସ୍ତାନ ମଧ୍ୟରେ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ହେବା ଉଚିତ । ଏପରି କିଛି ଶାନ୍ତିର ପ୍ରବଚନ ଦେଇଛନ୍ତି ପାକିସ୍ତାନ ହାଇକମିଶନର । ଭାରତରେ ଥିବା ପାକିସ୍ତାନ ହାଇ କମିଶନର ଅଫତାବ ହାସନ ଖାନ୍ ନୂଆଦିଲ୍ଲୀରେ ମଙ୍ଗଳବାର ଏକଥା କହିଛନ୍ତି ।

ଦୁଇ ଦେଶ ମଧ୍ୟରେ ସ୍ଥାୟୀ ସିନ୍ଧୁ କମିଶନ ବୈଠକ ବସିଥିବା ବେଳେ ପାକିସ୍ତାନ ପକ୍ଷରୁ ଏପରି ସନ୍ଦେଶ ଆସିଛି । ଦୁଇ ବର୍ଷ ପରେ ଏହି ବୈଠକ ବସିଛି । ସେପଟେ ଚଳିତ ମାସ ଶେଷ ଆଡ଼କୁ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଓ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କ୍ୟୁରେସି ତାଜିକିସ୍ତାନରେ ହେବାକୁ ଥିବା “ହାର୍ଟ ଅଫ ଏସିଆ’ ବୈଠକରେ ଯୋଗଦେବାର ଅଛି । ତେବେ ଏହି ବୈଠକରେ ଉଭୟ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ କୌଣସି ଆଲୋଚନା ହେବ କି ନାହିଁ କୌଣସି ସୂଚନା ମିଳି ନାହିଁ ।

ଫେବୃଆରୀ ୨୪ରେ ଭାରତ ଓ ପାକିସ୍ତାନ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଥିଲା । ସୀମାରେ ଅସ୍ତ୍ରବିରତି ପାଳନ ପାଇଁ ଉଭୟ ଦେଶର ସେନା ଘୋଷଣା କରିଥିଲେ । ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା ମଧ୍ୟ ନିକଟରେ ଭାରତ ସହ ଶାନ୍ତିର କଥା କହିଥିଲେ । ତେବେ ପାକିସ୍ତାନର ଅଭ୍ୟାସ ହେଲା ମୁହଁରେ ଶାନ୍ତିର କଥା କହିବା ଓ ପଛପଟେ ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚିବା, ତେଣୁ ନୂଆଦିଲ୍ଲୀ ସ୍ୱାଭାବିକ ଭାବେ ସତର୍କତାର ସହ ଆଗକୁ ବଢ଼ୁଛି ।