ଅନ୍ୟାନ୍ୟ ପଛୁଆ ବର୍ଗ ବା ଓବିସିଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଦାବି । ନିର୍ବାଚନ, ଉଚ୍ଚଶିକ୍ଷା ସହ ଚାକରୀ କ୍ଷେତ୍ରରେ ସଂରକ୍ଷଣ ଦାବି କଲେ ଖାରବେଳ

121

କନକ ବ୍ୟୁରୋ : ଅନ୍ୟାନ୍ୟ ପଛୁଆ ବର୍ଗ ବା ଓବିସିଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଦାବି କରିଛନ୍ତି ବିଜେପି ନେତା ଖାରବେଳ ସ୍ୱାଇଁ । ସରକାରୀ ଚାକିରୀ, ଉଚ୍ଚଶିକ୍ଷା ଓ ପଂଚାୟତ ତଥା ମହାନଗର ନିଗମ ନିର୍ବାଚନରେ ସଂରକ୍ଷଣ ଦେବାକୁ ସେ ଦାବି କରିଛନ୍ତି । ନଚେତ ଆସନ୍ତା ୨୫ ତାରିଖରୁ ଓବିସି ଜାଗରଣ ଅଭିଯାନ ଆରମ୍ଭ ହେବ । କର୍ଣ୍ଣାଟକରେ ୭୩ ପ୍ରତିଶତ, ତାମିଲନାଡୁରେ ୬୯ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି । ସେଠାରେ ଯଦି ୫୦ ଭାଗରୁ ଅଧିକ ଆରକ୍ଷଣ ମିଳୁଛି ଓଡିଶାରେ କାହିଁକି ଲାଗୁ କରାଯାଇପାରିବ ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ଖାରବେଳ ।

ଏହାର ଜବାବରେ ବିଜେଡି କହିଛି ଓବିସି କମିଶନ ଗଠନ ହେବା ପରେ ବିଜେପି ବିଚଳିତ ହୋଇଯାଇଛି । ବିଜେପି ନେତା ଜାଣିଶୁଣି ମତିଭ୍ରମ କରିବା ପାଇଁ ଅପଚେଷ୍ଟା କରୁଛନ୍ତି । ଏହା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ଜନଗଣନାର ଖସଡା ନଦେଇ ଯେଉଁ ରାଜନୀତି କରୁଛନ୍ତି ସେଥିରୁ କ୍ଷାନ୍ତ ରହିବାକୁ ଅନୁରୋଧ କରିଛନ୍ତି ବିଜେଡି ମୁଖପାତ୍ର । ୨୦୧୧ ଜନଗଣନାର ଜାତି ଭିତିକ ତଥ୍ୟ ସାର୍ବଜନୀନ କଲେ ନାହିଁ କିମ୍ବା ୨୦୨୧ରେ ଜାତିଭିତିକ ଜନଗଣନା ପାଇଁ ସ୍ୱତନ୍ତ୍ର ସ୍ତମ୍ଭ ରଖିଲେ ନାହିଁ । ତେଣୁ ଖାରବେଳଙ୍କ ସାମ୍ବାଦିକ ସମ୍ମିଳନୀ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ।