ହାଇତି ଭୂମିକମ୍ପ: ୨୦୦୦ ଟପିଲା ମୃତ୍ୟୁସଂଖ୍ୟା, ଖାଦ୍ୟ ପାଇଁ ହାହାକାର

223

କନକ ବ୍ୟୁରୋ : ହାଇତିରେ ୨୦୦୦ ଟପିଛି ମୃତ୍ୟୁ ସଂଖ୍ୟା । ଉଦ୍ଧାର କାର୍ଯ୍ୟ ଚାଲିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢିପାରେ । ଅନ୍ୟପଟେ ଏବେବି ଅନେକ ଲୋକ ମାଟିତଳେ ଦାବି ହୋଇରହିଛନ୍ତି । ହେଲେ ଭୂମିକମ୍ପ ପରେ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁଁ ଉଦ୍ଧାର କାର୍ଯ୍ୟ ଓ ରିଲିଫ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରୁନାହିଁ ବୋଲି କହିଛନ୍ତି ଉଦ୍ଧାରକାରୀ ଦଳ ।
ଭୂମିକମ୍ପରେ ମୃତ୍ୟୁମୁଖରୁ ବଂଚିଯାଇଥିବା ଲୋକେ ଏବେ ଖାଦ୍ୟ , ପାନୀୟ ଜଳ ଓ ବାସ ଟିକେ ପାଇଁ ବିକଳ ହେଉଛନ୍ତି । ଭୂମିକମ୍ପର ତୀବ୍ରତା ଏତେ ଅଧିକ ଥିଲା ଯେ, ଅନେକ ସହର ଧ୍ୱଂସସ୍ତୁପରେ ପରିଣତ ହୋଇଥିବାବେଳେ ଲକ୍ଷାଧିକ ଲୋକେ ବାସହରା ହୋଇପଡିଛନ୍ତି । ଭୂମିକମ୍ପ ସାଙ୍ଗକୁ ବନ୍ୟା ପରିସ୍ଥିତି ଯୋଗୁଁ ଦେଶରେ ଖାଦ୍ୟ, ପାନୀୟ ଜଳର ଘୋର ଅଭାବ ଦେଖାଦେଇଛି ।

ଏହା ସାଙ୍ଗକୁ ଭୂମିକମ୍ପରେ ଅନେକ ହସ୍ପିଟାଲ ମଧ୍ୟ ଭାଙ୍ଗିରୁଜି ଯାଇଥିବାରୁ ଚିକିି୍ସା ସେବା ମଧ୍ୟ ବାଧାପ୍ରାପ୍ତ ହେଉଛି । କିଛି ବିଦ୍ୟାଳୟ ଓ ଖୋଲା ଆକାଶ ତଳେ ଚାଲୁଛି ଆହତଙ୍କ ଚିକିତ୍ସା । ଏଥିରେ ବଡ ଦାୟିତ୍ୱ ଗ୍ରହଣ କରିଛି ଅନ୍ତର୍ଜାତୀୟ ରେଡକ୍ରସ୍ । ତେଣୁ ଖାଦ୍ୟ, ଜଳ ଓ ବାସ ପାଇଁ ପଡୋଶୀ ଦେଶକୁ ଅପିଲ କରିଛନ୍ତି ଦେଶବାସୀ ।