କନକ ବ୍ୟୁରୋ: ଆଜି ସକାଳେ ଭୁବନେଶ୍ବରର ସତ୍ୟନଗରରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ନେଇ ବଡ଼ ସୂଚନା ଦେଇଛି ଭୁବନେଶ୍ବର ମହାନଗର ନିଗମ । ସତ୍ୟନଗରରୁ ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସତ୍ୟନଗରର ତୋଷାଳି ଭବନ ସମ୍ମୁଖରେ ଥିବା ଏକ ଓମଫେଡ ପାର୍ଲରକୁ ଯାଉଥିଲେ ବୋଲି ବିଏମସି ସୂଚନା ଦେଇଛି। ଏହି ନିର୍ଦ୍ଦିଷ୍ଟ ପାର୍ଲରକୁ ସେ ବାରମ୍ବାର ଆସୁଥିବା ସୂଚନା ବିଏମସିକୁ ହସ୍ତଗତ ହୋଇଛି ।
ଏଥିସହ ସତ୍ୟନଗରର ସାଧାରଣ ବାସିନ୍ଦାଙ୍କୁ ବିଏମସି ପକ୍ଷରୁ କୁହାଯାଇଛି କି ଯଦି ସେମାନେ ଗତ ୧୪ ଦିନ ମଧ୍ୟରେ ଉକ୍ତ ସ୍ଥାନକୁ ଯାଇଥାଆନ୍ତି ତେବେ ହୋମ୍ କ୍ବାରେଣ୍ଟାଇନରେ ରହନ୍ତୁ। ଯଦି କରୋନାର ଲକ୍ଷଣ ଦେଖିବାକୁ ପାଆନ୍ତି ତେବେ ସଙ୍ଗେ ସଙ୍ଗେ ୧୦୪କୁ କଲ୍ କରନ୍ତୁ। ଏଥିସହ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଅଧିକ ସୂଚନା ଲାଗି ଜନସାଧାରଣଙ୍କ ସହଯୋଗ କାମନା କରିଛି । ଭୁବନେଶ୍ବର ମହାନଗର ନିଗମର କମିସନର ପ୍ରେମଚନ୍ଦ୍ର ଚୌଧୁରୀ ଏକ ସାମ୍ବାଦିକ ସମ୍ମିଳନୀ କରି ଭୁବନେଶ୍ବରର ସହରର କେଉଁ ଅଞ୍ଚଳରେ କେତେଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ତାହାର ସୂଚନା ଦେଇଛନ୍ତି ।
ସହିଦନଗରରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୟୁନିଟ-୪ ଓ ୟୁନିଟ-୫ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସୂର୍ଯ୍ୟନଗରରେ ୮ ଜଣ, କପିଳପ୍ରସାଦରେ ଜଣେ, ବମିଖାଲରୁ ୧୪ ଜଣ, ଝାରପଡ଼ାରୁ ଆଉ ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଜିମଖାନା ପାମ ହାଇଟ୍ସରୁ , ବିଜେବି ନଗର ଗଧିଆଖାଲ ଓ ଭରତପୁର ଅଞ୍ଚଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।