ମୋ ସହିତ ୫୦ରୁ ଅଧିକ ବିଧାୟକ, ଆମକୁ ଡରାଇ ପାରିବନି । ଆଇନ ଆମକୁ ବି ଜଣା, ଟ୍ୱିଟ୍ କରି ଉଦ୍ଧବଙ୍କ କ୍ୟାମ୍ପକୁ ଟାର୍ଗେଟ କଲେ ଏକନାଥ ସିନ୍ଦେ ।

202

କନକ ବ୍ୟୁରୋ : ରୋଚକ ହେଉଛି ମହାରାଷ୍ଟ୍ର ରାଜନୀତି । ହାଇଡ୍ରାମା ଥମିବାର ନାଁ ନେଉନାହିଁ । ଦିନ ଗଡିବା ସହ ଏକନାଥ ସିନ୍ଦେଙ୍କ ବଳ ବଢୁଛି । ଏହାସହ ଉଦ୍ଧବଙ୍କ କ୍ୟାମ୍ପରୁ ଜଣକ ପରେ ଜଣେ ବିଧାୟକ ଏବେ ଗୌହାଟି ମୁହାଁ ହେଉଛନ୍ତି । ଆଉ ଏସବୁ ଭିତରେ ସିନ୍ଦେଙ୍କର ବଡ ବୟାନ ସାମ୍ନାକୁ ଆସିଛି । ଜାତୀୟ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ଏକନାଥ କହିଛନ୍ତି, ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିପାରିବେନି ଉଦ୍ଧବ, କାରଣ ସରକାର ଏବେ ଅଳ୍ପମତରେ ରହିଛି । ଏବେ ମୋ ସହ ୩୭ ଶିବସେନା ବିଧାୟକଙ୍କୁ ମିଶାଇ ୫୦ ବିଧାୟକଙ୍କ ସମର୍ଥନ ରହିଛି । ଆଉ ଲୋକତନ୍ତ୍ରରେ ସଂଖ୍ୟାବଳ ସବୁଠୁ ଜରୁରୀ । ଆମକୁ ଏବେ ଡରାଇବାକୁ ପ୍ରୟାସ ଚାଲିଛି । କିନ୍ତୁ ଆମେ ଡରିବାର ପ୍ରଶ୍ନ ଉଠୁନାହିଁ କାରଣ ଆଇନ ଆମ ସପକ୍ଷରେ ଅଛି । ଶିବସେନା ଯେତେ ନୋଟିସ ପଠାଇଲେ ମଧ୍ୟ ଆମେ ଡରିବୁନି ।

ଏହାଛଡା ସିନ୍ଦେ କହିଛନ୍ତି ଖୁବଶୀଘ୍ର ମହାରାଷ୍ଟ୍ରର ରାଜ୍ୟପାଳଙ୍କୁ ଭେଟିବି । କିନ୍ତୁ ଏନେଇ କୌଣସି ତାରିଖ ସ୍ଥିର ହୋଇନାହିଁ । ଏସବୁ ଭିତରେ ମହାରାଷ୍ଟ୍ର ବିଧାନସଭା ଉପବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି ବିଦ୍ରୋହୀ ବିଧାୟକଙ୍କ ନେତା ଏକନାଥ ସିନ୍ଦେ । ୩୭ ଜଣ ଶିବସେନା ବିଧାୟକଙ୍କ ଦସ୍ତଖତ ଥିବା ଚିଠିକୁ ରାଜ୍ୟପାଳ ଭଗତ ସିଂ କୋସିୱାରି ଓ ଲେଜିସଲେଟିଭ୍ କାଉନସିଲ ସଚିବ ରାଜେନ୍ଦ୍ର ଭଗୱତଙ୍କ ମଧ୍ୟ ଲେଖିଛନ୍ତି । ଚିଠିରେ ସିନ୍ଦେ ଦାବି କରିଛନ୍ତି ଯେ, ତାଙ୍କୁ ପୁଣି ଥରେ ଶିବସେନା ବିଧାୟକ ଦଳ ନେତା ଭାବେ ଅବସ୍ଥାପିତ କରାଯାଉ । ଏହାସହ ଭରତସେଟ ଗୋଗାୱଲେଙ୍କୁ ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତ ଚିହ୍ନଟ କରାଯାଉ । ବିଦ୍ରୋହୀ ବିଧାୟକମାନେ ଏକନାଥ ସିନ୍ଦେଙ୍କୁ ସେମାନଙ୍କ ନେତା ଘୋଷଣା କରିଛନ୍ତି । ଏହାସହ ସିନ୍ଦେ ଗୋଷ୍ଠୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ବିଦ୍ରୋହୀ ଗୋଷ୍ଠୀରେ ନୂଆ ନୂଆ ନେତା ଯୋଗଦେବାରେ ଲାଗିଛନ୍ତି । ମହାରାଷ୍ଟ୍ରର ଆଉ ୨ ଜଣ ସ୍ୱାଧୀନ ବିଧାୟକ ଆସାମର ଗୌହାଟୀରେ ପହଂଚିଛନ୍ତି । ଏହାପୂର୍ବରୁ ଦୁଇ ଜଣ ଶିବସେନା ବିଧାୟକ ମଧ୍ୟ ସିନ୍ଦେଙ୍କ କ୍ୟାମ୍ପରେ ଯୋଗଦେଇଥିଲେ ।

ସେପଟେ ସିନ୍ଦେ ଗୋଷ୍ଠୀଙ୍କୁ ମନାଇବାରେ ବିଫଳ ହେବା ପରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି ଶିବସେନା । ୧୨ ବିଧାୟକଙ୍କ ସଦସ୍ୟତା ରଦ୍ଦ କରିବାକୁ ମହାରାଷ୍ଟ୍ର ବିଧାନସଭା ଉପବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି ଶିବସେନାର ଉଦ୍ଧବ ଠାକରେ । ଉଦ୍ଧବ ଠାକରେ ଡାକିଥିବା ବିଧାୟକ ଦଳ ବୈଠକରେ ଏହି ବିଧାୟକମାନେ ଯୋଗଦେଇ ନଥିବାରୁ ଏମାନଙ୍କ ସଦସ୍ୟତା ରଦ୍ଦ ପାଇଁ ଦାବି କରାଯାଇଥିବା କହିଛନ୍ତି ଶିବସେନା ସାଂସଦ ଅରବିନ୍ଦ ସାୱନ୍ତ । ଯେଉଁ ୧୨ ଜଣ ବିଧାୟକଙ୍କ କଥା ସେ କହିଛନ୍ତି, ସେ ଭିତରେ ଏକନାଥ ସିନ୍ଦେଙ୍କ ନାଁ ମଧ୍ୟ ରହିଛି । ସେପଟେ ଏହି ଘୋଷଣା ପରେ ଉଦ୍ଧବ ଠାକରେଙ୍କ ପକ୍ଷକୁ କଡ଼ା ସମାଲୋଚନା କରିଛି ସିନ୍ଦେ ଗୋଷ୍ଠୀ । ଏକନାଥ ସିନ୍ଦେ ଟୁଇଟ କରରି କହିଛନ୍ତି ଯେ, ସଦସ୍ୟ ପଦ ରଦ୍ଦ କଥା କହି ବିଧାୟକମାନଙ୍କୁ ଧମକ ଦେବା କାମ କରିବ ନାହିଁ । କାରଣ ବିଧାୟକମାନେ ବାଲାସାହେବ ଠାକରେଙ୍କ ମାର୍ଗରେ ଚାଲିଛନ୍ତି ଓ ଆଇନକାନୁନ ସେମାନଙ୍କୁ ମଧ୍ୟ ଜଣାବୋଲି ଏକନାଥ ଟୁଇଟ କରିଛନ୍ତି ।