କଟକଣାକୁ ମାନୁଛି କିଏ? ରାଜ୍ୟ ଛାଡୁଛନ୍ତି ଶହଶହ ଶ୍ରମିକ, ଶତାଧିକ କିମି ଚାଲିବାକୁ ବି ପ୍ରସ୍ତୁତ

294

କନକ ବ୍ୟୁରୋ : ‘ଲକ୍‌ ଡାଉନ୍ ‌ଯୋଗୁ କାମଧନ୍ଦା ସବୁ ବନ୍ଦ ହୋଇଯାଇଛି। ଠିକା‌ଦାର ବି ଖାଇବାକୁ ଦେଉନି। ଠିକାଦାର କହୁଛି ମାର୍ଚ୍ଚ ମାସରେ ବିଲ୍‌ ମିଳିଥାନ୍ତା, କାମ ତ ହେଉନି ଟଙ୍କା କିଏ ଦେବ। ରହିବାକୁ ରୁମ୍‌ ଅଛି ରୁହ। ହେଲେ ଯେଝା ଖାଇବା କଥା ଯିଏ ବୁଝିବ। ଦିନକୁ ଓଳିଏ ଖାଇବାକୁ ପାଖରେ ଟଙ୍କାଟିଏ ନାହିଁ। ଏପ୍ରିଲ ୧୫ ପୂର୍ବରୁ କାମ ଧନ୍ଦା ହେବନି କି ମଜୁରୀ ମିଳିବନି ବୋଲି ଠିକାଦାର କହିଛି। ତେଣୁ ଗାଁକୁ ପଳାଉଛୁ। ଘରେ ମୁଢ଼ି, ରୁଟି, ଭାତ ଖାଇ ରହିଯିବୁ।’

ଇଏ ହେଉଛି ବିହାରର ଲାଖିସରାଇ ଜିଲ୍ଲାର ରାମଗଡ଼ର ବାସିନ୍ଦା ସେଖ୍ ମୁବାରକ୍‌ର କଥା। ମୁବାରକ ସାଲିଆ ସାହିରେ ରହି ପ୍ଲାଏ ମିସ୍ତ୍ରୀ କାମ କରେ। କେବଳ ମୁବାରକ୍ ନୁହେଁ, ରାମଗଡ଼ର ପ୍ରାୟ ୨୦ଜଣ ସାଲିଆ ସାହିରେ ୩ଟି ଘରେ ରହି କାମ କରନ୍ତି। ଗାଁ ପାଖର ଠିକାଦାର ତାଙ୍କୁ ଆଣି ରଖିଥିଲା। ରହିବା ଓ ଖାଇବାକୁ ଦେବ, କାମ ପାଇଁ ମଜୁରି ଅଲଗା ବୋଲି କହିକି ଆଣିଥିଲା। ୫ମାସ ହେଲା ଘର ଭଡ଼ା ଓ ଖାଇବାକୁ ଜିନିଷ ଦେଉଥିଲା। ହେ‌ଲେ ୫ଦିନ ହେଲା ଖାଇବାକୁ ଦେଉନି। ଖାଇବାକୁ ଟଙ୍କା ମାଗିଲେ କହୁଛି ମୋ ପାଖରେ ଟଙ୍କା ନାହିଁ। ଗାଁକୁ ପଳାଅ। ଟ୍ରେନ୍‌ ତ ଚାଲୁନି ଗାଁକୁ ଯିବୁ କେମିତି? ତେଣୁ ଚାଲି ଚାଲି ଯାଉଛୁ। ମୁବାରକ୍ ଭଳି ଶତାଧିକ ଯୁବକ ଏବେ ବିହାର ଓ ପଶ୍ଚିମବଙ୍ଗ ଫେରି ଯାଉଛନ୍ତି।

କେନ୍ଦ୍ର ସରକାର କରୋନା ମୁକାବିଲା ପାଇଁ ରାଜ୍ୟ ଛାଡ଼ିବା ଉପରେ କଟକଣା ଲଗାଇଥିବାବେଳେ ଏହି ଶ୍ରମିକମାନେ କିନ୍ତୁ ନିଜର ପେଟକୁ ଦି ମୁଠା ଦାନା ଦେବା ଚିନ୍ତାରେ ଏବେ ହଜାରେ କି‌ଲୋମିଟର ଚାଲିବାକୁ ମୁଣ୍ଡରେ ଜିନିଷପତ୍ର ଲଦି ବାହାରିଛନ୍ତି। ସେମାନେ କୌଣସି କଟକଣାକୁ ମାନିବାକୁ ରାଜି ନାହାନ୍ତି।

ସେହିପରି ମୁଣ୍ଡରେ ନିଜର ପୋଷାକ ବ୍ୟାଗ୍ ଲଦି ଝାଡ଼ଖଣ୍ଡ ଅଭିମୁଖେ ବାହାରିଥିବା ମାର୍ବଲ ମିସ୍ତ୍ରୀ ପୱନ ସିଂହ କହିଛନ୍ତି ‌ଏଠାରେ ସିନା ଆମକୁ ଦି ଓଳି ଖାଇବାକୁ ମିଳିଯିବ। ହେଲେ ଗାଁରେ ମୋର ତିନିଟା ଛୁଆ, ସ୍ତ୍ରୀ, ବାପା, ମା’, ଭଉଣୀ ଅଛନ୍ତି। ସେମାନେ ଏମିତି ପରିସ୍ଥିତିରେ କ’ଣ କରିବେ ଜାଣିପାରୁନାହାନ୍ତି। ତେଣୁ ମେ‌ାତେ ଯେମିତି ‌ହେଲେ ବି ଯିବାକୁ ହେବ। ଟ୍ରେନ୍ ତ ଚାଲୁନି। ତେଣୁ ଚାଲି ଚାଲି ଯାଉଛି।

ରାଜଧାନୀ ରାସ୍ତାରେ ଦିନତମାମ୍ ଶହଶହ ଯୁବକ ବିହାର, ପଶ୍ଚିମବଙ୍ଗ, ଝାଡଖଣ୍ଡ ଅଭିମୁଖେ ବାହାରିଥିଲେ। ହାତରେ ମଶିଣା, ବାଲ୍‌ଟି, କାନ୍ଧରେ ଓ ମୁଣ୍ଡରେ ବ୍ୟାଗ୍ ଲଦି ଧାଡ଼ି ଧାଡ଼ି ହୋଇ ଚାଲୁଥିଲେ। ଲାଗୁଥିଲା ଯେମିତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଟକଣା, ଘୋଷଣା ଯେପରି ଏମାନଙ୍କ ପାଇଁ କିଛି ଅର୍ଥ ରଖେନି।

କେନ୍ଦ୍ର ସରକାର ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସବୁ ରାଜ୍ୟରେ ଶ୍ରମିକମାନେ ନିଜ ରାଜ୍ୟକୁ ଫେରିଯିବାକୁ ଚାହୁଁଥିବାରୁ ଏକାଠି ହେଉଛନ୍ତି। ତେଣୁ ସେମାନଙ୍କୁ ରାଜ୍ୟ ସୀମାରେ ଅଟକାଯାଉ। ସେମାନଙ୍କ ରହିବା ଓ ଖାଇବାର ବ୍ୟବସ୍ଥା ‌କରାଯାଉ। ହେଲେ ସେମାନଙ୍କ ପରିବାରକୁ କେମିତି ଖାଦ୍ୟ ମିଳିବ, ସେମାନେ କେମିତି ଚଳିବେ କିଏ ବୁଝିବ ସେ ପ୍ରତିଶ୍ରୁତି ମିଳୁନଥିବାରୁ ଏବେ ନିଜ ଘରକୁ ଫେରିବା ସେମାନଙ୍କ ପାଇଁ ଏକମାତ୍ର ବାଟ।

Comments are closed.