କନକ ବ୍ୟୁରୋ : ୟୁକ୍ରେନ ଉପରେ ଋଷର ଆକ୍ରମଣ ହେଉ କି ପାଲେଷ୍ଟାଇନ ଉପରେ ଇସ୍ରାଏଲର ଆକ୍ରମଣ । ଏହି ଆକ୍ରମଣ ରାଜନୈତିକ ପ୍ରଣୋଦିତ ହେଉ କି ଅସ୍ତ୍ର ବ୍ୟବସାୟୀଙ୍କୁ କଚକ୍ରରେ ଫଶୁଥିବା ଶାସକ ଗୋଷ୍ଠୀ ହୁଅନ୍ତୁ । ହେଲେ ଭୋକର ଯନ୍ତ୍ରଣା ସହ ଆତ୍ମୀୟଙ୍କୁ ହରାଇବାର ଯନ୍ତ୍ରଣା ଭୋଗୁଛନ୍ତି ସାଧାରଣ ଜନତା । ୟୁକ୍ରେନ ଉପରେ ଋଷର ମାତ୍ରାଧିକ ଆକ୍ରମଣକୁ ଯେଭଳି ଋଷ ନାଗରିକ ବିରୋଧ କରୁଛନ୍ତି ସେହିଭଳି ଏବେ ଇସ୍ରାଏଲର ନାଗରିକମାନେ ମଧ୍ୟ ଇସ୍ରାଏଲ ସରକାରର ବିଚାରକୁ ବିରୋଧ କରି ରାସ୍ତାକୁ ଉହ୍ଲାଇଛନ୍ତି ।

Advertisment

ଇସ୍ରାଏଲ ନାଗରିକମାନେ ରାସ୍ତାରେ ପ୍ରଦର୍ଶନ କରି ହମାସ ଚରମପନ୍ଥୀଙ୍କ ଦ୍ୱାରା ବନ୍ଦୀ ଥିବା ଇସ୍ରାଏଲ ନାଗରିକଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଏହି କ୍ରମରେ କିଛି ପ୍ରଦର୍ଶନକାରୀ କହିଛନ୍ତି କି ସେମାନେ ସେମାନଙ୍କ ଆତ୍ମୀୟଙ୍କ ସହ କୌଣସି ସଂପର୍କ ସ୍ଥାପନ କରିପାରୁନାହାଁନ୍ତି । ସେମାନଙ୍କ ଫେରିବା ବାଟକୁ ଚାହିଁ ଚାହିଁ ଜୀବନ ନର୍କ ହୋଇଗଲାଣି ବୋଲି ସେମାନେ ଦୁଃଖର ସହ ପ୍ରକାଶ କରିଛନ୍ତି ।

ପ୍ରଦର୍ଶନକାରୀମାନେ ଆହୁରି କହିଛନ୍ତି କି ସେମାନଙ୍କର ୨୦୦ରୁ ଅଧିକ ସଂପର୍କୀୟ ହମାସ ଚରମପନ୍ଥୀମାନଙ୍କ କବଜାରେ ଅଛନ୍ତି । ଏଣୁ ସେମାନଙ୍କୁ କିଭଳି ସରକାର ତୁରନ୍ତ ଉଦ୍ଧାର କରିବେ ସେନେଇ ସେମାନେ ସରକାରଙ୍କ ନିକଟରେ ଦାବି ଜଣାଇବାକୁ ଏଭଳି ପ୍ରଦର୍ଶନ କରୁଛନ୍ତି ।

ସେପଟେ ଇସ୍ରାଏଲର ଆକ୍ରମଣ ଫଳରେ ୨୩ ଲକ୍ଷ ପାଲେଷ୍ଟାଇନ ବେଘର ହୋଇଯାଇଛନ୍ତି । ଇସ୍ରାଏଲ ସେନାର ଆକ୍ରମଣ ଫଳରେ ସେମାନଙ୍କ ଘର ସମ୍ପୂର୍ଣ୍ଣ ଧ୍ୱଂଶ ହୋଇଯାଇଛି । ଏହାସହ ସମ୍ପୂର୍ଣ୍ଣ ଗାଜା ଏବେ ଏକ ଅଳିଆଗଦାରେ ପରିଣତ ହୋଇଥିବା ଭଳି ନଜର ଆସୁଛି । ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରିଥିବା ଏକ ରିପୋର୍ଟ ମୁତାବକ ଏପର୍ଯ୍ୟନ୍ତ ଇସ୍ରାଏଲ ସେନା ଆକ୍ରମଣରେ ୪୧ ଶହରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କର ମୃତ୍ୟୁ ହୋଇଛି ।