ରାଜସ୍ଥାନରେ ବିବାହ ସାରି ଭୁବନେଶ୍ବରରେ ସବ୍ୟସାଚୀ ଓ ଅର୍ଚ୍ଚିତା : ପୁଷ୍ପଗୁଚ୍ଛ ଦେଇ ଭୁବନେଶ୍ୱର ବିମାନବନ୍ଦରରେ ପରିବାରବର୍ଗ ଏବଂ ଶୁଭେଚ୍ଛୁ କଲେ ସ୍ୱାଗତ

140

କନକ ବ୍ୟୁରୋ : ରାଜସ୍ଥାନରେ ବିବାହ ବନ୍ଧନରେ ବାନ୍ଧି ହେବା ପରେ ଭୁବନେଶ୍ୱରରେ ପହଂଚିଛନ୍ତି ଓଲିଉଡର ହଟ ଯୋଡି ସବ୍ୟସାଚ୍ଚୀ ଏବଂ ଅର୍ଚ୍ଚିତା । ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ସେମାନଙ୍କର ପରିବାରବର୍ଗ ଏବଂ ଶୁଭେଚ୍ଛୁମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ରାଜସ୍ଥାନରେ ଡେଷ୍ଟିନେସନ ୱେଡିଂ ଜରିଆରେ ବିବାହ କରିଥିଲେ ଉଭୟ । ଅଳ୍ପ କିଛି ସମ୍ପର୍କିୟ ବନ୍ଧୁଙ୍କ ଗହଳରେ ହୋଇଥିଲା ଏହି ବିବାହ ଉତ୍ସବ । ବିବାହ ବେଳର କିଛି ଫଟୋ ମଧ୍ୟ ଉଭୟ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ବିବାହ ସରିବା ପରେ ଉଭୟ ଓଡିଶା ଫେରିଆସିଛନ୍ତି ।

ସୂଚନାଯୋଗ୍ୟ, ଗତ ୧ ତାରିଖରେ ଓଡ଼ିଆ ଚଳଚ୍ଚିତ୍ରର ସଫଳ ଅଭିନେତା-ଅଭିନେତ୍ରୀ ସବ୍ୟର୍ଚ୍ଚିତାଙ୍କର ରାଜସ୍ଥାନରେ ରାଜକୀୟ ଢଙ୍ଗରେ ହୋଇଥିଲା ବିବାହ । ରିଲ୍ ଲାଇଫ ଯୋଡ଼ିରୁ ରିୟଲ ଲାଇଫରେ ପତିପତ୍ନୀ ହୋଇଛନ୍ତି ସବ୍ୟ ଓ ଅର୍ଚିତା । ବିବାହ ପରେ ଆଜି ଓଡ଼ିଶାରେ ପଂହଚିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ ପଂହଚିବା ପରେ ପ୍ରଶଂସକମାନଙ୍କ ଶୁଭେଚ୍ଛାର ସୁଅ ଛୁଟିଥିଲା ।

ପ୍ରକୃତରେ ଗତବର୍ଷ ମାର୍ଚ୍ଚ ମାସରେ ବିବାହ ପାଇଁ ସ୍ଥିର ହୋଇଥିଲା । କୋଭିଡ କଟକଣା ପାଇଁ ବନ୍ଦ ଥିବା ସହ ଏବେ ଶୁଭେଚ୍ଛୁଙ୍କ ଗହଳି ତଥା ସୁରକ୍ଷା ପାଇଁ ଉଭୟ ପରିବାର ସମ୍ମତିରେ ରାଜସ୍ଥାନରେ ବିବାହ କରିବାକୁ ସ୍ଥିର କରିଥିବା କହିଛନ୍ତି ସବ୍ୟସାଚୀ । ଏହାସହ ସବ୍ୟସାଚୀ ନିଜ ଜୀବନର ସଫଳତାର ଶ୍ରେୟ ଅର୍ଚ୍ଚିତାଙ୍କୁ ଦେଇଛନ୍ତି । ରିଲ୍ ଲାଇଫ୍ ସହିତ ଆଗକୁ ସମାଜସେବା ଜାରି ରହିବ ବୋଲି ଉଭୟେ ଗଣମାଧ୍ୟମ ଆଗରେ ପ୍ରତିଜ୍ଞା କରିଛନ୍ତି ।