କଂଗ୍ରେସର ଓଡିଶା ବନ୍ଦ : ସୁର ରାଉତରାୟ କହିଲେ, ମମିତା ଭଉଣୀକୁ ନ୍ୟାୟ ଦେବା ପାଇଁ ଗୁଳି ଖାଇବାକୁ ବି ଆମେ ରେଡ୍ଡି

139

କନକ ବ୍ୟୁରୋ : ମମିତା ମେହେରଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ରାଜ୍ୟର ବିଭିନ୍ନ ସ୍ଥାନରେ କଂଗ୍ରେସର ୬ ଘଂଟିଆ ହରତାଳ । ସକାଳ ୬ଟାରୁ ଦିନ ୧୨ଟା ଯାଏଁ କଂଗ୍ରେସ କରୁଛି ହରତାଳ । ସୁର ରାଉତରାୟଙ୍କ ସହ କଂଗ୍ରେସକର୍ମୀ ମାଷ୍ଟରକ୍ୟାଂଟିନ ଛକରେ ପ୍ରତିବାଦ କରୁଛନ୍ତି । ଛାତ୍ର କଂଗ୍ରେସ ପକ୍ଷରୁ ହାତରେ ପ୍ଲାକାଡ ଧରି ମନ୍ତ୍ରୀ ବହିଷ୍କାର ଓ ଗିରଫ ଦାବି କରି ପ୍ରତିବାଦ କରାଯାଉଛି । ଧାରଣାରେ ସାମିଲ ଅଛନ୍ତି କଂଗ୍ରେସ ନେତା ଜୟଦେବ ଜେନା । ସୁରକ୍ଷାକୁ ଦୃ୍ଷ୍ଟିରେ ରଖି ମାଷ୍ଟରକ୍ୟାଂଟିନ ଛକରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ମହାମାରୀ ଯୋଗୁଁ ଅନେକ ଲୋକଙ୍କ ଜୀବିକା ସଂକଟରେ ପଡିଥିବାରୁ ୬ଘଂଟିଆ ବନ୍ଦ ପାଳନ କରୁଛି ଦଳ ।

ଏହାର ପ୍ରଭାବରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇପାରିନାହିଁ। ଖାଲି ସେତିକି ନୁହେଁ, ଜନଜୀବନ ବି ପ୍ରଭାବିତ ହୋଇଛି । କଟକ, ଭୁବନେଶ୍ବର ସମେତ ବିଭିନ୍ନ ଅଞ୍ଚଳରେ ଟ୍ରକ୍ ଚଳାଚଳ ସ୍ବାଭାବିକ ଥିଲେ ବି ବେଶୀସଂଖ୍ୟକ ବସ ଚାଲୁନାହିଁ । ତେବେ କଟକ ଓ ଭୁବନେଶ୍ବରରେ ମୋ ବସ୍ ଚାଲିଥିବାର ଦେଖିବାକୁ ମିଳୁଛି । କିନ୍ତୁ ଆଜି ଲୋକ ହେଉ ନଥିବା ହେତୁ ବସ୍ ଚାଲୁନଥିବା କୁହାଯାଉଛି । ଏଣେ ହରତାଳ ନେଇ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ବନ୍ଦକୁ ଲୋକଙ୍କ ପୂର୍ଣ୍ଣ ଏବଂ ଅକୁଣ୍ଠ ସମର୍ଥନ ମିଳୁଛି । ବନ୍ଦ ସଫଳ ହୋଇଛି । ଆଜି ସକାଳେ ବିଧାୟକ ସୁରେଶ ରାଉତରାୟ, ଜୟଦେବ ଜେନା ଓ ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜଙ୍କ ନେତୃତ୍ୱରେ ବହୁ କଂଗ୍ରେସ ନେତା ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଛକରେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି, ଆଜିର ଆନ୍ଦୋଳନର ପ୍ରଭାବ ପଡ଼ିଛି, ଲୋକମାନେ ସମଥର୍ନ କରିଛନ୍ତି। ଆନ୍ଦୋଳନକୁ ପ୍ରଭାବହୀନ କରିବା ପାଇଁ ବିଜେଡି ଚକ୍ରାନ୍ତ କରିଛି । ବିଜେଡି କଂଗ୍ରେସକୁ ଡରୁଚି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ କରାନଯିବା ଯାଏଁ ଆନ୍ଦୋଳନ ଚାଲିବ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ବନ୍ଦକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯାଉଛି । ତେବେ ଜରୁରୀକାଳୀନ ସେବାରେ ନିଯୁକ୍ତ ବ୍ୟକ୍ତିବିଶେଷ, ମୋଟରଯାନ ଓ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାଇଁ ଯିବାର ସୁଯୋଗ ଦିଆଯାଉଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି। ଏଯାବତ୍ ସବୁଠି ହରତାଳ ଶାନ୍ତିପୂର୍ଣ୍ଣ ରହିଛି ।