କନକ ବ୍ୟୁରୋ: କିଡନୀ ଚୋରି ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସଂପୂର୍ଣ୍ଣ ଘଟଣା ସଂପର୍କରେ ଅନୁଧ୍ୟାନ କରିବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ । ଏହା ସହ ରିପୋର୍ଟ ଆସିଲେ ତର୍ଜମା କରାଯିବ ଏବଂ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ନବ ଦାସ । ୨୦୧୩ ମସିହାରେ ବରଗଡ ଜିଲ୍ଲାର ଅନୀଲ କୁମାର ସ୍ୱାମୀଙ୍କ କିଡନୀକୁ ବେଆଇନ ଭାବେ ତାଙ୍କ ପଡୋଶୀ ରାଘବ ଦୋରାଙ୍କଠାରେ ଆପୋଲୋ ହସ୍ପିଟାଲରେ ପ୍ରତିରୋପଣ କରାଯାଇଥିଲା । ଏନେଇ ୨୦୧୬ରେ ଜାନୁୟାରୀ ୩ ତାରିଖରେ ଅନିଲ ବରଗଡ ଟାଉନ ଥାନାରେ ଅଭିଯୋଗ କରିଥିଲେ ।
ଆପୋଲୋ ହସ୍ପିଟାଲରେ କିଡନୀ ପ୍ରତ୍ୟାରୋପଣ ମାମଲା । ପ୍ରଥମେ ତର୍ଜମା ପରେ କାର୍ଯ୍ୟାନୁଷ୍ଠାନ : ନବ ଦାସ #Odisha#NabaKisoreDaspic.twitter.com/fgyv5s7Rih
— Kanak News (@kanak_news) December 30, 2019
ସେହି ମାସ ୫ ତାରିଖରେ ମାନବାଧିକାରୀ କର୍ମୀ ଶ୍ରୀ ଅଖଣ୍ଡ ଏହି ଘଟଣାରେ ଜାତୀୟ ମାନବାଧିକାର କମିସନଙ୍କ ଦ୍ୱାରସ୍ଥ ହୋଇଥିଲେ । ଦୁଇ ଦିନ ତଳେ ଆପୋଲୋ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଥିଲେ ଜାତୀୟ ମାନବାଧିକାର କମିସନ । ପୁଣି ମୁଖ୍ୟ ଶାସନ ସଚିବଙ୍କୁ ଆପୋଲୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ ଏନଏଚଆରସି । ମେଡିକାଲର ପଂଜିକରଣ ରଦ୍ଦ କରିବା ସହ ପୀଡିତଙ୍କୁ କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜାତୀୟ ମାନବାଧିକାର କମିସନ ପାଖରେ କିଡନୀ ଚୋରିକୁ ନେଇ ଆପୋଲୋ ରଖିଥିବା ଯୁକ୍ତିକୁ ଖାରଜ କରିଦେଇଥିଲେ କମିସନ ।