କନକ ବ୍ୟୁରୋ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର କେରଳର ୱାଏନାଡରୁ ନାମାଙ୍କନ ଭରିଛନ୍ତି । ଏଥିରେ ରାହୁଲ ନିଜର ସମ୍ପତି ନେଇ ସତ୍ୟପାଠରେ ସୂଚନା ଦେଇଛନ୍ତି । ଏଥିରେ ସେ ଦର୍ଶାଇଛନ୍ତି ଯେ, “ତାଙ୍କ ପାଖରେ ୨୦ କୋଟି ଟଙ୍କାର ମୋଟ୍ ସମ୍ପତି ରହିଛି । ଏଥିରୁ ୯ କୋଟି ୨୪ ଲକ୍ଷ ଟଙ୍କାର ଅସ୍ଥାବର ସମ୍ପତି ରହିଛି । ୫୫ ହଜାର ଟଙ୍କାର ନଗଦ, ୨୬ ଲକ୍ଷ ୨୫ ହଜାର ଟଙ୍କାର ବ୍ୟାଙ୍କ ଡିପୋଜିଟ୍, ୪ କୋଟି ୩୩ ଲକ୍ଷ ଟଙ୍କାର ବଣ୍ଡ ଓ ସେୟାର ରହିଛି । ଏହାସହ ୩ କୋଟି ୮୧ ଲକ୍ଷ ଟଙ୍କାର ମ୍ୟୁଚୁଆଲ ଫଣ୍ଡ, ୪ ଲକ୍ଷ ୨୦ ହଜାର ଟଙ୍କାର ଅଳଙ୍କାର ରହିଛି । ୧୫ ଲକ୍ଷ ୨୧ ହଜାର ଟଙ୍କାର ସୁନା ବଣ୍ଡ ମଧ୍ୟ ରହିଛି । ଅନ୍ୟପଟେ ରାହୁଲଙ୍କ ପାଖରେ ୧୧ କୋଟି ୧୫ ଲକ୍ଷ ଟଙ୍କାର ସ୍ଥାବର ସମ୍ପତି ରହିଛି । ଭଉଣୀ ପ୍ରିୟଙ୍କାଙ୍କ ସହ ଦିଲ୍ଲୀର ମେହରୌଲିରେ କୃଷି ଯୋଗ୍ୟ ଜମି ରହିଛି । ହେଲେ ରାହୁଲଙ୍କ ପାଖରେ ନିଜର କୌଣସି ଗାଡ଼ି ଓ ଘର ନାହିଁ ।

Advertisment

୨୦୧୯ ନିର୍ବାଚନରେ ରାହୁଲ ଗାନ୍ଧୀ ଦୁଇଟି ଜାଗାରୁ ନିର୍ବାଚନ ଲଢ଼ିଥିଲେ । ଉତର ପ୍ରଦେଶର ଆମେଠି ଓ କେରଳର ୱାଏନାଡ । ଆମେଠିକୁ ଗାନ୍ଧୀ ପରିବାରର ଗଡ଼ ବୋଲି କୁହାଯାଏ । ହେଲେ ଆଶ୍ଚର୍ଯ୍ୟଜନକ ଭାବେ ଏଠାରୁ ହାରିଯାଇଥିଲେ ରାହୁଲ । ବିଜେପିର ସ୍ମୃତି ଇରାନୀ ତାଙ୍କୁ ପରାସ୍ତ କରିଥିଲେ । ଅନ୍ୟପଟେ ୱାଏନାଡରୁ ପ୍ରାୟ ୫ ଲକ୍ଷ ଭୋଟ ବ୍ୟବଧାନରେ ଜିତିଥିଲେ ରାହୁଲ । ଏବେ ୱାଏନାଡ ପାଇଁ ନାମାଙ୍କନ ଭରିସାରିଥିବା ବେଳେ ଆମେଠି ଆସନ ପାଇଁ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ କଂଗ୍ରେସ ।

ୱାଏନାଡରେ ଏଥର ତ୍ରିମୁଖୀ ଲଢ଼େଇ । ବଡ଼ ଶୋଭାଯାତ୍ରାରେ ଯାଇ କେରଳ ବିଜେପି ମୁଖ୍ୟ କେ ସୁରେନ୍ଦ୍ର ନିଜର ନାମାଙ୍କନ ଭରିଛନ୍ତି । ଏହି ରୋଡ ସୋରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଯୋଗଦେଇଛନ୍ତି । ସିପିଆଇ ପ୍ରାର୍ଥୀ ଅନ୍ନି ରାଜା ମଧ୍ୟ ନିଜର ନାମାଙ୍କନ ଭରିଛନ୍ତି ।