କନକ ବ୍ୟୁରୋ: ସରିଲା ୧୦ ଦିନର ଲମ୍ବା ଅପରେସନ । ୱାୟନାଡ ଛାଡିଲା ଭାରତୀୟ ସେନା । ଯବାନଙ୍କ ପାଇଁ ପଡିଲା ଜୟଜୟକାର । ଲୁହଭିଜା ବିଦାୟ ଦେଲେ ଲୋକେ । ବନ୍ଦେ ମାରତଂ ଗୀତ ବାଜୁଛି, ବୀର ଯବାନଙ୍କୁ ବିଦାୟ ଦିଆଯାଉଛି । ବିପର୍ଯ୍ୟୟ ବେଳର ବନ୍ଧୁଙ୍କୁ ବିଦାୟ ଦେବାବେଳେ କିଏ ତାଳି ମାରି ସେମାନଙ୍କ କାମକୁ ପ୍ରଶଂସା କରୁଛି ତ କିଏ ହାତ ମିଳେଇ ସେମାନଙ୍କୁ ଧନ୍ୟବାଦ ଦେଉଛି । ରାସ୍ତାର ଦୁଇ ପାଖରେ ଧାଡି କରି ଛିଡା ହୋଇ ସମବେତ ଜନତା ଉଦ୍ଧାରକାରୀ ଦଳକୁ ଉଚ୍ଛ୍ୱସିତ ପ୍ରଶଂସା କରିବାର କୌଣସି ବି ସୁଯୋଗ ହାତ ଛଡା କରୁ ନାହାନ୍ତି ।

Advertisment

ମୃତ୍ୟୁର ପାଟି ଭିତରୁ ଜୀବନ ଅଣ୍ଡାଳି ଶହଶହ ଲୋକଙ୍କୁ ଉଦ୍ଧାର କରି ଯେଉଁମାନେ ନୂଆ ଜୀବନ ଦେଇଛନ୍ତି ସେହି ଯୋଦ୍ଧାଙ୍କୁ, ସେହି ଯବାନମାନଙ୍କୁ ଦେବଦୂତର ଆଖ୍ୟା ଦେଇ ସଲାମ ଜଣାଉଛନ୍ତି ୱାୟନାଡର ଲୋକେ । ଭାରତୀୟ ସେନାହ ନିସ୍ୱାର୍ଥପର ତ୍ୟାଗ ଓ ସାହସ ଏ ମାଟିର ଛାତି ଉପରେ ଆଉ ଲୋକଙ୍କ ସ୍ମୃତିରେ ସଦା ସ୍ମରଣୀୟ ହୋଇ ରହିବ । ବୋଧହୁଏ ଯେଉଁ ଲୋକଙ୍କୁ ସେନାବାହିନୀ ମାଟି ଭିତରୁ ଟାଣି ଆଣି ବଞ୍ଚାଇ ଦେଇଛନ୍ତି ସେମାନେ ଶେଷ ଯାଏଁ ସେହି ଦେବଦୂତଙ୍କୁ ଭୁଲି ପାରିବେ ନାହିଁ ତେଣୁ ତ ବିଦାୟକାଳିନୀ ଏ ବତୁରା ମୁହୂର୍ତ୍ତରେ ଲୋକେ କହୁଛନ୍ତି, ଯଦି ବିପଦ ବେଳେ ତମେମାନେ ନଥାନ୍ତ ବୋଧେ ଆଜି ଆମେମାନେ ନଥାନ୍ତୁ... କି ଆମ ଜୀବନ ବି ନଥାନ୍ତା । ଆଜି ତମ ପାଇଁ ଆମେ ବଞ୍ଚିଛୁ, ନୂଆ ଏକ ଜୀବନ ପାଇଛୁ...

ୱାୟନାଡ ଭୂସ୍ଖଳନ ସ୍ଥଳରୁ ମୃତ୍ୟୁ ସହ ଲଢେଇ କରି ଅନେକ ଜୀବନ ବଞ୍ଚେଇ ଶେଷରେ ୱାୟନାଡ ଛାଡିଛନ୍ତି ଭାରତୀୟ ସେନାର ୫୦୦ ଯବାନ । ତେବେ ଭୂସ୍ଖଳନ ସ୍ଥଳରେ ଉଦ୍ଧାର କାମ ପାଇଁ ବେଲି ବ୍ରିଜ୍ ନିର୍ମାଣ କରି ରେକର୍ଡ କରିଥିଲା ସେନା । ମାତ୍ର ୩୧ ଘଣ୍ଟାରେ ପାଣିର ଛାତି ଉପରେ ସୁଅକୁ ସାହସର ସହ ସାମ୍ନା କରି ୧୯୦ ଫୁଟର ଲମ୍ବା ବେଲି ବ୍ରିଜ ନିର୍ମାଣ କରିଥିଲେ । ଯାହା ପରେ ଘଟଣାସ୍ଥଳରେ ହିଁ ଉଦ୍ଧାର କାର୍ଯ୍ୟ ଏବଂ ଯୋଗାଯୋଗ ସମ୍ଭବ ହୋଇଥିଲା ।

ସେପଟେ ଏହି ଯବାନ ମାନେ ନିଜ ଜୀବନକୁ ବାଜିରେ ଲଗାଇ ଲୋକଙ୍କୁ ଉଦ୍ଧାର କରିବାରେ ଲାଗି ପଡିଥିଲେ । ମଣିଷ ହେଉ କି ପଶୁ- ଜୀବନକୁ ବଞ୍ଚାଇବା ପାଇଁ ଏବଂ ଜୀବନ ଉଦ୍ଧାରର ମନ୍ତ୍ର ନେଇ ସମସ୍ତ ଯବାନ ଜଣେ ଜଣେ ଦେବଦୂତ ପରି ୱାୟନାଡରେ ମୁତୟନ ହୋଇଥିଲେ ଆଉ ବିପଦ ଯେତେବଡ ହେଉନା କାହିଁକି ସବୁ ସୀମା ଡେଇଁ ଲୋକଙ୍କୁ ବଞ୍ଚାଇବାକୁ ଲମ୍ଫ ପ୍ରଦାନ କରିଥିଲେ ।

କେଉଁଠି କୁନି ପିଲାଙ୍କୁ ଉଦ୍ଧାର କରିଥିଲେ ତ କେଉଁଠି ବୃଦ୍ଧବୃଦ୍ଧା ଓ ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିଥିଲେ । ଦୁର୍ଗମ ପଥ, ଉଛୁଳା ନଈ, ଗଭୀର ଗର୍ତ୍ତ, ଘଞ୍ଚ ପାହାଡ- ଯେଉଁଠି ଯେଉଁଠି ଫଶିଥିଲେ ଲୋକେ- ସେଉଠୁ ସେଉଠୁ ସମସ୍ତଙ୍କୁ ମୃତ୍ୟୁର ଫାଶରୁ ମୁକୁଳାଇ ଆଣିଥିଲେ । ଆଉ ଆଜି ଯେତେବେଳେ ସେମାନେ ୱାୟନାଡ ଛାଡୁଛନ୍ତି, ସେମାନଙ୍କ ଠାରୁ ଦୂରେଇ ଯାଉଛନ୍ତି- ଲୁହଭିଜା ବିଦାୟ ଦେଉଛନ୍ତି ୱାୟନାଡର ଲୋକେ । ଏହାହିଁ ତ ଜୀବନ ଦାନ କରିଥିବା ଯବାନଙ୍କ ପାଇଁ ଶ୍ରେଷ୍ଠ ସମ୍ମାନ ।