କନକ ବ୍ୟୁରୋ: ରଖେ ହରି ତ ମାରେ କିଏ । ଯଦି ବଂଚିବା ପାଇଁ ଆୟୁଷ ରହିଛି ତେବେ ଯମବି ହାର ମାନି ଫେରିଯାଏ। ଏକଥା ପୁଣି ପ୍ରମାଣ କରିଛି କେରଳ ୱାୟନାର ଘଟଣା। ବନବିଭାଗ ଅଧିକାରୀଙ୍କ କୋଳରେ କୁନି କୁନି ଚରୋଟି ଛୁଆ । ବର୍ଷା ଥଣ୍ଡାରେ ଥରିଯାଉଥିଲା ସେମାନଙ୍କ ଖାଲି ଦେହ । ପାଖରେ ଯେଉଁ ଛୋଟମୋଟ କପଡା ଥିଲା ସେଥିରେ ଛୁଆଙ୍କୁ ଘୋଡାଇ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ଅଧିକାରୀ । ଭୟଭୀତ ଛୁଆଙ୍କୁ କିଛି ସମୟ ଧରି ଜାବୁଡି ଧରିଥିଲେ । ଖାଇବାକୁ ମଧ୍ୟ ଦେଇଥିଲେ । ଭୁସ୍ଖଳନର ୫ ଦିନ ପରେ ଏଭଳି ଘଟଣା ଚମତ୍କାରଠୁ କିଛି କମ ନୁହେଁ ।
ସୂଚନା ଅନୁସାରେ କଲପେଟ ରେଂଜ ବନବିଭାଗ ଅଧିକାରୀଙ୍କ ନେତୃତ୍ବରେ ୪ ଜଣିଆ ଟିମ ଘଂଚ ଜଙ୍ଗଲରେ ଉଦ୍ଧାର କାମ ଜାରି ରଖିବା ସମୟରେ ସେମାନଙ୍କ ନଜର ପଡେ ଏକ ଗୁମ୍ପା ଉପରେ । ଯେଉଁଥିରେ ଫସିରହିଥିଲେ ୪ ଜଣ ଶିଶୁଙ୍କ ସମେତ ଆଦିବାସୀ ଦମ୍ପତି । ୫ଦିନ ନଖାଇ, ନପିଇ ଏମାନଙ୍କୁ ଜୀବିତ ଥିବା ଦେଖି ଅଧିକାରୀ ଖୁବ ଆଶ୍ଚର୍ଯ୍ୟ ହେବା ସହ କିଭଳି ତୁରନ୍ତ ଉଦ୍ଧାର କରିବେ ସେନେଇ ରେସ୍କ୍ୟୁ ଅପରେସନ ଜୋରଦାର କରିଥିଲେ ଅଧିକାରୀ । ଖାଇକୁ ଅତିକ୍ରମ କରି ଗୁମ୍ପା ନିକଟରେ ପହଁଚିବାକୁ ୫ଘଂଟା ଲାଗିଥିଲା । ଉଦ୍ଧାରକାମ ପାଇଁ ୮ଘଂଟାର ଅଦ୍ୟମ ଉଦ୍ୟମ କରିଥିଲେ ଅଧିକାରୀ ।
ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା
ଲୋକଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର
ବନବିଭାଗ ଅଧିକାରୀ ସାହସ ଓ ସଫଳତାକୁ କେରଳ ମୁଖ୍ୟମନ୍ତ୍ରୀ ପ୍ରଂଶସା କରିଛନ୍ତି । ସୂଚନା ଅନୁସାରେ ୱାୟନାଡ ସହରଠୁ କିଛି କିଲୋମିଟର ଦୂରରେ ରହିଛି ଘଂଚଜଙ୍ଗଲ ଭିତରେ ଆଦିବାସୀଙ୍କ ବସତି । ଏଠାକାର ବାସିନ୍ଦା କେବଳ ଜଙ୍ଗଲରେ ରୁହନ୍ତି ଓ ବାହାର ଦୁନିଆ ସହ କୌଣସି ସମ୍ପର୍କ ରଖିନଥାନ୍ତି । ଜଙ୍ଗଲରେ ଯାହା ମିଳେ ସେଥିରେ ଗୁଜରାଣ ମେଂଟାନ୍ତି । ତେବେ ଉଦ୍ଧାର ସମୟରେ ଅଧିକାରୀ ସାଙ୍ଗରେ ନେଇଥିବା ଖାଦ୍ୟକୁ ସେମାନଙ୍କୁ ଦେବା ସହ ସୁରକ୍ଷିତ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ଭୁସ୍ଖଳନରେ ଏହି ଅଂଚଳ ବେଶ ଅଧିକ ପ୍ରଭାବିତ ହୋଇଛି । ଏପରିକି ଏହି ଅଂଚଳରୁ ନିଖୋଜ ୨୬ରୁ ଅଧିକ ଶିଶୁଙ୍କ ପତା ମିଳୁନି । ଅନେକ ଲୋକ ଭାସିଯାଇଥିବା ମଧ୍ୟ ସୂଚନା ରହିଛି ।