ଇରାନରେ ମୃତ୍ୟୁଦଣ୍ଡ ଏକ ସାଧାରଣ ଦଣ୍ଡ ପ୍ରକ୍ରିୟା କିନ୍ତୁ ବିଗତ କିଛି ବର୍ଷ ହେଲା ଏହାର ସଂଖ୍ୟା କ୍ଷିପ୍ର ଗତିରେ ବଢି ଚାଲିଛି । କେବଳ ଚଳିତ ବର୍ଷ ଜାନୁଆରୀରୁ ଅକ୍ଟୋବର ମଧ୍ୟରେ ଅତି କମରେ ୬୦୪ ଜଣଙ୍କୁ ଫାଶୀ ଦିଆଯାଇଛି । ମୃତ୍ୟୁବରଣ କରିଥିବା ଅଧିକାଂଶ ଲୋକ ହେଉଛନ୍ତି ଅଳ୍ପସଂଖ୍ୟକ ଗୋଷ୍ଠୀରକିମ୍ବା ଇରାନର କଠୋର ଇସଲାମିକ ନିୟମକୁ ଅବମାନନା କରୁଥିବା ଲୋକ ।
ନିକଟରେ ଇରାନ ନିଜର ଜଣେ ନାଗରିକଙ୍କୁ ଫାଶୀ ଦେଇଥିଲା । ଇରାନ ଏହାର ନାଗରିକଙ୍କୁ ଇସ୍ରାଏଲର ଗୁପ୍ତଚର ଏଜେନ୍ସି ମୋସାଦ ପାଇଁ କାମ କରୁଥିବାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲା । କିଛି ଗୁପ୍ତ ଦସ୍ତାବିଜକୁ ଆଧାର କରି ଇରାନ ଫାଶୀ ହୋଇଥିବା ବ୍ୟକ୍ତିଙ୍କୁ ଗୁପ୍ତଚର ବୋଲି ଅଭିଯୋଗ କରିଥିଲା ଏବଂ ଶେଷରେ ତାଙ୍କୁ ଫାଶୀ ଦେଇଦେଇଥିଲା ।
ଏକ ରିପୋର୍ଟ ଅନୁଯାୟୀ, କେବଳ ଗତ ୧୦ ଦିନ ମଧ୍ୟରେ ଇରାନ ପ୍ରଶାସନ ୪୨ ଜଣଙ୍କୁ ଫାଶୀଖୁଣ୍ଟରେ ଝୁଲାଇ ହତ୍ୟା କରି ସରିଲାଣି । ଯଦି ଆମେ ଏହାକୁ ଘଣ୍ଟା ହିସାବରେ ହିସାବ କରିବା ତେବେ, ଇରାନରେ ପ୍ରତି ୬ ଘଣ୍ଟାରେ ଜଣେ ବ୍ୟକ୍ତିଙ୍କୁ ଫାଶୀ ଦିଆଯାଉଛି । ଇରାନ କ୍ରମାଗତ ଭାବରେ ଆଭ୍ୟନ୍ତରୀଣ ସମସ୍ୟା ସହ ସଂଘର୍ଷ କରୁଛି । ସେଠାରେ ସବୁଠାରୁ ବଡ ସମସ୍ୟା ହେଉଛି ଅର୍ଥନୀତି ଏବଂ ଦ୍ୱିତୀୟଟି ହେଉଛି ଦେଶର କଠୋର ଇସଲାମିକ ନିୟମ । ଇସଲାମିକ ନିୟମକୁ ଦର୍ଶାଇ ସେଠାରେ ସରକାର ମହିଳାମାନଙ୍କ ଉପରେ କଠୋର ପ୍ରତିବନ୍ଧକ ଲଗାଯାଇଛି ଏବଂ ଅସଂଖ୍ୟ ମୃତ୍ୟୁଦଣ୍ଡ ଦିଆ ହୋଇଛି ।
୨୦୧୫ : ୯୭୨ ଜଣଙ୍କୁ ଦିଆଯାଇଥିଲା
ଫାଶୀ ଇରାନରେ କାର୍ଯ୍ୟ କରୁଥିବା ମାନବାଧିକାର ସଂଗଠନ ଅନୁଯାୟୀ, ପୋଲିସ୍ ହେପାଜତରେ ମହସା ଆମିନୀଙ୍କ ମୃତ୍ୟୁ ପରେ ହିଜାବ ବିରୋଧୀ ପ୍ରଦର୍ଶନରେ ସାମିଲ ଥିବା ଲୋକଙ୍କ ମଧ୍ୟରୁ ଅତି କମରେ ୨୨୯ ଜଣଙ୍କୁ ଫାଶୀ ଦିଆଯାଇଛି । ଏହି ବର୍ଷ, ନଭେମ୍ବର ମାସରେ, ମିଳିତ ଜାତିସଂଘ ଇରାନରେ ଘଟୁଥିବା ବଡ଼ ଧରଣର ଫାଶୀ ନିଷ୍ପତ୍ତିକୁ ଉଦ୍ବେଗଜନକ ବୋଲି ବର୍ଣନା କରାଯାଇଥିଲା । ୨୦୨୩ ର ପ୍ରଥମ ସାତ ମାସରେ ୪୧୯ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ୨୦୨୨ ତୁଳନାରେ ଏହା ୩୦ ପ୍ରତିଶତ ଅଧିକ ଥିଲା । ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷର ପ୍ରଥମ ୧୦ ମାସରେ ୬୦୪ ଜଣଙ୍କୁ ଫାଶୀ ଦିଆଯାଇଥିଲା । ଗତ ଆଠ ବର୍ଷ ମଧ୍ୟରେ ଏହି ସଂଖ୍ୟା ସର୍ବାଧିକ ଥିଲା । ୨୦୧୫ ମସିହାରେ, ଇରାନରେ ସର୍ବାଧିକ ୯୭୨ ଜଣଙ୍କୁ ଫାଶୀ ଦିଆଯାଇଥିଲା ।
ଫାଶୀ ପାଇଥିବା ଅଧିକାଂଶ ଲୋକମାନେ କିଏ ?
ନଭେମ୍ବର ମାସରେ ଫାଶୀ ଦିଆଯାଇଥିବା ଲୋକଙ୍କ ମଧ୍ୟରେ ଦୁଇଜଣ ମହିଳା ଏବଂ ଏକ ଶିଶୁ ମଧ୍ୟ ଅନ୍ତର୍ଭୁକ୍ତ ଥିଲେ । ନିହତ ହୋଇଥିବା ଅଧିକାଂଶ ଲୋକ ହେଉଛନ୍ତି କୁର୍ଦ୍ଦ ଏବଂ ବାଲୁଚି ଲୋକ । ଇରାନରେ କୁର୍ଦ୍ଦ ଏବଂ ବାଲୁଚି ଜନସଂଖ୍ୟା ସଂଖ୍ୟାଲଘୁ ଅଟନ୍ତି । ଇରାନର ଜନସଂଖ୍ୟାର ଅଧିକାଂଶ ହେଉଛି ଶିଆ । ଏହା ବ୍ୟତୀତ ସରକାର ବିରୋଧୀ ବିରୋଧ ପ୍ରଦର୍ଶନ କରୁଥିବା ଲୋକମାନେ ମଧ୍ୟ ଇରାନ ପ୍ରଶାସନର ଟାର୍ଗେଟରେ ରହିଛନ୍ତି ।ଇରାନ ସରକାରଙ୍କ ବିରୋଧୀ ଭାବରେ ବିବେଚନା କରାଯାଉଥିବା ଶାହିନ୍ ଗୋବାଡି କହିଛନ୍ତି ଯେ ଇରାନ ସରକାର ନିଜ ଲୋକଙ୍କ ସହ ଯୁଦ୍ଧ କରୁଛନ୍ତି । କାଳେ ପ୍ରଦର୍ଶନ ସବୁ ଉଗ୍ର ହେଇଯିବା ଏବଂ ନିୟନ୍ତ୍ରଣ ବାହାରକୁ ଚାଲିଯିବ ସେଥିପାଇଁ ଇରାନ ସରକାର ଏପରି ଦମନମୂଳକ ନୀତି ଗ୍ରହଣ କରୁଛନ୍ତି । ଇରାନର ବିରୋଧୀ ନେତା ତଥା ଯୁବକମାନେ ପାଶ୍ଚାତ୍ୟ ଦେଶମାନଙ୍କରୁ ଇରାନର ଅତ୍ୟଧିକ କାର୍ଯ୍ୟନୁଷ୍ଠାନ ବିରୋଧରେ ପଦକ୍ଷେପ ନେବାକୁ ଦାବି କରୁଛନ୍ତି ।