କରୋନାର ସମ୍ଭାବ୍ୟ ତୃତୀୟ ଲହର ନେଇ ଆସିଲା ଆଶ୍ୱସ୍ତିକର ଖବର । ତୃତୀୟ ଲହରରେ ଅଧିକ ପ୍ରଭାବିତ ହେବେ ନାହିଁ ଶିଶୁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଏମ୍ସର ସର୍ଭେ

1,189

କନକ ବ୍ୟୁରୋ: କରୋନାର ତୃତୀୟ ଲହରକୁ ନେଇ ଚର୍ଚ୍ଚା ଚାଲିଛି । ଶିଶୁ ଓ ଛୋଟ ପିଲାଙ୍କୁ ଏହି ଲହର ଅଧିର ପ୍ରଭାବିତ କରିବ ବୋଲି ପୂର୍ବରୁ ରିପୋର୍ଟ ପ୍ରକାଶ ପାଇଥିଲା । କିନ୍ତୁ ଆଜି ଆସିଥିବା ଖବର ଏକ ଆଶ୍ୱସ୍ତିକର ସୂଚନା ଦେଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଦିଲ୍ଲୀ ଏମ୍ସ ପକ୍ଷରୁ ଦେଶରେ ଏକ ସର୍ଭେ କରାଯାଇଥିଲା । ଏଥିରୁ ମିଳିଥିବା ତଥ୍ୟ କହୁଛି, ତୃତୀୟ ଲହର ଛୋଟ ପିଲାମାନଙ୍କୁ ଅଧିକ ପ୍ରଭାବିତ କରିବ ନାହିଁ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଦିଲ୍ଲୀ ଏମ୍ସ, ଦେଶର ୫ଟି ରାଜ୍ୟରେ ଏକ ସେରୋ ସର୍ଭେ କରିଥିଲେ, ଅର୍ଥାତ୍ ଛୋଟ ପିଲାଙ୍କ ଠାରେ କେତେ ପରିମାଣର ଆଂଟିବଡି ଅଛି, ତାହା ପରୀକ୍ଷା କରାଯାଇଥିଲା । ସେଥିରୁ ଆଶ୍ଚଯ୍ୟଜନକ ତଥ୍ୟ ମିଳିଥିଲା । ବଡ ଲୋକଙ୍କ ଅପେକ୍ଷା ଛୋଟ ପିଲାଙ୍କ ଠାରେ ଅଧିକ ପରିମାଣର ଆଂଟିବଡି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଆଂଟିବଡି ହେଉଛି- ଶରୀର ଭିତରେ ରୋଗର ମୁକାବିଲା ପାଇଁ ସୃଷ୍ଟି ହେଉଥିବା ରୋଗ ପ୍ରତିରୋଧକ ଶକ୍ତି । ଛୋଟ ପିଲାଙ୍କ ଠାରେ ଆଂଟିବଡି ସୃଷ୍ଟି ହେବା ଏକ ସଂକେତ ଦେଉଛି । ଏହି ସଂକେତ ହେଲା, ଛୋଟ ପିଲାଙ୍କୁ କରୋନା ହୋଇଛି, ଏବଂ ସେମାନେ ବିନା ଲକ୍ଷଣରେ ଭଲ ହୋଇଯାଇଛନ୍ତି ।

ଦେଶର ୫ଟି ରାଜ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଦିଲ୍ଲୀ ଏମ୍ସ ପକ୍ଷରୁ ୧୦ ହଜାର ନମୂନା ନିଆଯାଇ ପରୀକ୍ଷା କରାଯାଇଥିଲା । ସେରୋ ସର୍ଭେରେ ଆସିଥିବା ତଥ୍ୟ ସବୁକୁ ତର୍ଜମା କରାଯାଉଛି । ଏହି ସର୍ଭେରୁ ଆହୁରି ଅନେକ କଥା ସାମ୍ନାକୁ ଆସିବ । କିନ୍ତୁ ଆଜି ସେମାନେ ଏହି ଗୁରୁତ୍ୱପୂର୍ଣ୍ଣ କଥା ସାମ୍ନାକୁ ଆଣିଛନ୍ତି । ତୃତୀୟ ଲହରରେ ଛୋଟ ପିଲାମାନେ ଅଧିକ ପ୍ରଭାବିତ ହେବାର ସମ୍ଭାବନା ନାହିଁ ।