ଆପର ତଟିଂରେ କଂଟା ହେଲାଣି ଦଳୀୟ ସାଂସଦଙ୍କ ଅଭିଯୋଗ । ଜୀବନ ପ୍ରତି ବିପଦ ଥିବା କହି ସୁରକ୍ଷା ଲୋଡିଲେ ସ୍ୱାତୀ ମାଲିୱାଲଙ୍କ ପୂର୍ବତନ ସ୍ୱାମୀ

135

କନକ ବ୍ୟୁରୋ : ଆମ ଆଦମୀ ପାର୍ଟି ସାଂସଦ ତଥା ଦିଲ୍ଲୀ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲଙ୍କ ସହ ଦୁର୍ବ୍ୟବହାର ମାମଲାରେ ଆସିଛି ନୂଆ ମୋଡ । ସ୍ୱାତୀଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ତାଙ୍କ ସୁରକ୍ଷା ଲୋଡିଛନ୍ତି ପୂର୍ବତନ ସ୍ୱାମୀ ନବୀନ ଜୟହିନ୍ଦ । ଏଥିସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗୃହମନ୍ତ୍ରୀ, ଜାତୀୟ ମହିଳା କମିଶନଙ୍କ ନିକଟରେ ଦାବି କରିଛନ୍ତି ।

ଗତକାଲି ଆମ ଆଦମୀ ପାର୍ଟି ମାରପିଟ ଘଟଣାକୁ ସ୍ୱିକାର କରିବା ପରେ ରାଜନୀତି ତେଜିଛି । ଦିଲ୍ଲୀ ରାସ୍ତାକୁ ଓହ୍ଲାଇଛି ବିଜେପି ମହିଳା ମୋର୍ଚ୍ଚା । କେଜ୍ରିୱାଲଙ୍କ ବିରୋଧରେ ଜୋରଦାର ବିକ୍ଷୋଭ କରିଛି । ସେପଟେ ଆପ କହିଛି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଯଥା ଶିଘ୍ର ଗ୍ରହଣ କରାଯିବ ।

ଦୁଇ ଦିନ ପୂର୍ବରୁ ଦିଲ୍ଲୀ ପୁଲିସକୁ ଫୋନ କରି ତାଙ୍କ ସହ ମାରପିଟ ହୋଇଥିବା କହିଥିଲେ ସ୍ୱାତୀ କିନ୍ତୁ ଥାନାରେ ପହଁଚି ଏବେ ସୁଦ୍ଧା କୌଣସି ଲିଖିତ ଅଭିଯୋଗ କରିନାହାଁନ୍ତି । କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବୈଭବ କୁମାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବାସଭବନରେ ତାଙ୍କୁ ଦୁର୍ବ୍ୟବହାର ଓ ମାରପିଟ କରିଥିବା ଅଭିଯୋଗ ହୋଇଛି । ତେବେ ଜେଲରୁ ଜାମିନରେ ବାହାରି ପ୍ରଚାର ମଙ୍ଗ ସମ୍ଭାଳିଥିବା କେଜ୍ରିୱାଲ ଓ ତାଙ୍କ ଦଳ ପାଇଁ ତଟିଂର କଂଟା ସାଜିଛି ସ୍ୱାତୀଙ୍କ ଅଭିଯୋଗ ।