କନକ ବ୍ୟୁରୋ: ଚିନ୍ତାରେ ପଡିଛନ୍ତି ତରଭୁଜ ଚାଷୀ । ପାଣି ଅଭାବରୁ ଗଛ ଭଲ ଭାବରେ ବଢିପାରୁନଥିବା ବେଳେ ଗଛରେ ଲାଗିଲାଣି ରୋଗପୋକ । ନଦୀରୁ ପମ୍ପ ଦ୍ୱାରା ପାଣି ବୋହି ତରଭୁଜ ଚାଷ କରୁଥିବା ବେଳେ କେନାଲର ବ୍ୟବସ୍ଥା ନାହିଁ କି ଉଠା ଜଳସେଚନ ବ୍ୟବସ୍ଥା ନାହିଁ । ଯାହାପାଇଁ ଚାଷୀ ମାନେ ବହୁ ଅସୁବିଧା ଭୋଗୁଛନ୍ତି ।
ରାଜକନିକା ବ୍ଳକ କଟଣା ବଣିଆ ପଞ୍ଚାୟତର ବିଭିନ୍ନ ଅଞ୍ଚଳର ଚାଷୀମାନେ ଏହି ତରଭୁଜ ଚାଷ କରି ପରିବାର ଚଳାଇଥାନ୍ତି । ହେଲେ ପାଣି ସମସ୍ୟା ଯୋଗୁ ଏକର ଏକର ଚାଷ ଜମିରେ ଫସଲ ସବୁ ନଷ୍ଟ ହେବାରେ ଲାଗିଛି । କିଛି ବର୍ଷ ହେଲା କେନାଲ ପୋତି ହୋଇପଡିଥିବାରୁ ନଦୀରୁ ବି ଆସୁନି ପାଣି । କେନାଲ ଶୁଖିଲା ପଡିଥିବାରୁ ପାଣି ଅଭାବ ଆଉ ତା ସହ ରୋଗପୋକ ଲାଗି ଫସଲ ନଷ୍ଟ ହୋଇଗଲାଣି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢିଚାଲିଛି ।
ଚଳିତଥର ଚାଷ ପରିମାଣ କମିଯାଇଥିବା ବେଳେ ୧୦ କେଜି ଜାଗାରେ ୨ କେଜି ଫଳିଛି ତରଭୁଜ । ଗଛରେ କାଳମାଣ୍ଡି ପୋକରୁ ନେଇ ଗୁଣ୍ଡିପୋକ ଓ ପାରା ପୋକ ଲାଗି ଫସଲ ଉଜୁଡି ଗଲାଣି । ଯାହାକିଛି ଅମଳ ହେଉଛି ବେପାରୀ ମଧ୍ୟ ଆସୁନାହାନ୍ତି । ବିଭିନ୍ନ ସ୍ଥାନରୁ ଧାର କରଜ କରି ଚାଷ କରିଥିବା ବେଳେ ଏବେ ଋଣ କିଭଳି ସୁଝିବେ ସେ ନେଇ ଚିନ୍ତା ବଢୁଛି । ପରିବାର କିଭଳି ଚଳିବ ବୋଲି ଚାଷୀ କହୁଥିବା ବେଳେ ଖୁବଶୀଘ୍ର ଉଠାଜଳସେଚନ ବ୍ୟବସ୍ଥା କରିବାକୁ ଦାବି ହୋଇଛି । ତେବେ ଚାଷ ଜମିକୁ ଆବଶ୍ୟକ ଭାବେ ଜଳ ଯୋଗାଇବା ସହ ଜଳସେଚନ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଚାଷୀମାନେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/03/13-25.jpg)