ରାଜକନିକାରେ ଜୋରଦାର ହେଉଛି ଖରସ୍ରୋତା ଆନ୍ଦୋଳନ । ପ୍ରତିବାଦକାରୀଙ୍କ ସହ ଯୋଗ ଦେବାକୁ ଆସୁଛନ୍ତି ଜଳ ମାନବ ଡକ୍ଟର ରାଜେନ୍ଦ୍ର ସିଂ ।

270

କନକ ବ୍ୟୁରୋ : ଜୋରଦାର ହେବାକୁ ଯାଉଛି ଖରସ୍ରୋତା ବଞ୍ଚାଅ ଆନ୍ଦୋଳନ । କାରଣ ଏହି ଆନ୍ଦୋଳନରେ ଯୋଗ ଦେବାକୁ ଆସୁଛନ୍ତି ଜଳ ମାନବ ଡକ୍ଟର ରାଜେନ୍ଦ୍ର ସିଂ । ବିଶିଷ୍ଟ ସାମାଜିକ କର୍ମୀ ତଥା ଭାରତର ନଦୀ ଓ ଜଳ ସୁରକ୍ଷା ଆନ୍ଦୋଳନର ପ୍ରମୁଖ ଚେହେରା ଡକ୍ଟର ସିଂ ଯୋଗ ଦେଉଥିବାରୁ ଏହି ଆନ୍ଦୋଳନକୁ ବଳ ମିଳିପାରେ । ଏଥିପାଇଁ ଅଗଷ୍ଟ ୨୪ରେ ଅଚ୍ୟୁତପୁର ଚାଲ ଡାକରା ଦିଆଯାଇଛି । ସେହିପରି ଆନ୍ଦୋଳନରେ ସାମିଲ ହେବାପାଇଁ ଆଳି ଓ ରାଜକନିକା ଲୋକଙ୍କୁ ଆହ୍ୱାନ ଦିଆଯାଇଛି ।

କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ବରୁଣାଡ଼ିଆ ପଡ଼ିଆରେ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେଉଥିବା ବେଳେ ଏହାକୁ ବିରୋଧ କରିଆସୁଛନ୍ତି ସ୍ଥାନୀୟ ବାସିନ୍ଦା । ପ୍ରକଳ୍ପ କାମକୁ ବିରୋଧ କରି ଆନ୍ଦୋଳନ ବେଳେ ୧୨ ତାରିଖରେ ପ୍ରକଳ୍ପ ସ୍ଥାନରେ ବ୍ୟାପକ ଭଙ୍ଗାରୁଜା କରିଥିଲେ ଲୋକେ । ପୋଲିସ ଏହି ଘଟଣାରେ ୨୪ ଜଣଙ୍କୁ ଗିରଫ କରିଥିଲା । ତେଣୁ ବେଆଇନ ଗିରଫଦାରୀକୁ ପୋଲିସ ବନ୍ଦ କରୁ ବୋଲି ଦାବି ହେଉଛି ।

ଖରସ୍ରୋତାରୁ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଅଂଚଳକୁ ପାନୀୟ ଜଳ ଯୋଗାଇବା ପାଇଁ କରାଯାଉଥିବା ଏହି ପ୍ରକଳ୍ପକୁ ଗତବର୍ଷ ନଭେମ୍ବର ମାସରୁ ବିରୋଧ କରାଯାଉଛି । ଏବଂ ଏହା ବିରୋଧରେ ସ୍ଥାନୀୟ କଂଗ୍ରେସ, ବିଜେପି ଓ ବାମଦଳ ଗୁଡିକ ମିଶି ଯାଇଛନ୍ତି । ଲୋକଙ୍କ ଧାରଣା ହେଉଛି, ଖରସ୍ରୋତାରୁ ପାଣି ନେଲେ ନଦୀର ଜଳସ୍ତର କମିଯିବ, ଏବଂ ଲୁଣାପାଣି ଉଠି ଆସିବ । ଏହାଦ୍ୱାରା ଚାଷ ଜମିରେ ଲୁଣଚରି ଯିବ ଏବଂ ଭଲ ଚାଷ ହେବ ନାହିଁ ।