କନକ ବ୍ୟୁରୋ : ଏବେ ପବନରୁ ମିଳିବ ପାଣି । ଏହା କେବଳ ଆଉ କଳ୍ପନା ହୋଇ ରହିନାହିଁ ବରଂ ଇସ୍ରାଏଲ କମ୍ପାନି ୱାଟରଜେନ୍ ଏଭଳି ଏକ ମେସିନ ଆଣିଛି । ଯେଉଁ ମେସିନ ଜରିଆରେ ପବନରୁ ପାଣି ସଂଗ୍ରହ କରାଯାଇପାରିବ । ଏଥିପାଇଁ ୱାଟରଜେନ୍ କମ୍ପାନି ଭାରତର ଏକ କମ୍ପାନି ସହ ପାର୍ଟନରସିପ କରିଛି ।

Advertisment

ଏହି ପାର୍ଟନରସିପ୍ ଜରିଆରେ କମ୍ପାନି ଅନେକ ସାମଗ୍ରୀ ଭାରତରେ ଲଞ୍ଚ କରିବ । ଏହି ମେସିନ ହିଁ ପବନରୁ ବିଶୁଦ୍ଧ ପାଣି ପ୍ରସ୍ତୁତ କରିବ । କମ୍ପାନିର କହିବା ଅନୁଯାୟୀ, ଅପରେସନ ଆରମ୍ଭ ହେବାର ଗୋଟିଏ ବର୍ଷ ମଧ୍ୟରେ ଉତ୍ପାଦନ ୟୁନିଟ୍ ଭାରତରେ ଲଞ୍ଚ କରାଯିବ । ସବୁଠୁ ବଡ କଥା ହେଲା, ସବୁ ବର୍ଗର ଲୋକ ଏହାକୁ ବ୍ୟବହାର କରିପାରିବେ । ୩୦ ଲିଟରରୁ ୬୦୦୦ ଲିଟର ପର୍ଯ୍ୟନ୍ତ ଦୈନିକ ଉତ୍ପାଦନ କରିପାରିବ ଏହି ମେସିନ୍ । ତେବେ ଏହାର ମୂଲ୍ୟ କେତେ ରହିବ ସେନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିପାରିନାହିଁ ।

କମ୍ପାନି ଅନୁଯାୟୀ, ଏହି ପ୍ରଡକ୍ଟ ସ୍କୁଲ, ହସ୍ପିଟାଲ, ପାର୍କ, ଘର, ଅଫିସ, ରିସୋର୍ଟ, ନିର୍ମାଣଧୀନ ସ୍ଥଳ, ଗାଁ ଗୁଡିକରେ ବେଶ ଉପଯୋଗୀ ହୋଇପାରିବ । ଯେଉଁଠାରେ ପିଇବା ପାଣିର ଆବଶ୍ୟକତା ରହିଛି, ଏହି ମେସିନ ସେଠାରେ ବେଶ ଉପଯୋଗୀ ସାବ୍ୟସ୍ତ ହେବ । ଏହି ଡିଭାଇସଟି ପ୍ଲଗ ଆଣ୍ଡ ପ୍ଲେ ଜ୍ଞାନକୌଶଳ ଦ୍ୱାରା ବିକଶିତ କରାଯାଇଛି । ଯାହାଦ୍ୱାରା ଯେକୌଣସି ସ୍ଥାନରେ ବିଦ୍ୟୁତ ସଂଯୋଗ କିମ୍ବା ଅନ୍ୟ ଶକ୍ତି ବିକଳ୍ପ ଦ୍ୱାରା ମଧ୍ୟ ଚାଲୁ କରାଯାଇପାରିବ । ଯେହେତୁ ଭାରତରେ ସ୍ୱଚ୍ଛ ପିଇବା ପାଣି ପାଇଁ ଲୋକଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ତେଣୁ ଏହି ନୂଆ ଟେକ୍ନୋଲୋଜି ଜରିଆରେ ଏହି ସମସ୍ୟାର ବେଶ ସହଜରେ ସମାଧାନ କରାଯାଇପାରିବ ।